ନିର୍ମାଣ କାର୍ଯ୍ୟରେ ସତର୍କତା ପାଇଁ ଗାଇଡଲାଇନ୍: ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର, କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ

Advertisment
ନିର୍ମାଣ କାର୍ଯ୍ୟରେ ସତର୍କତା ପାଇଁ ଗାଇଡଲାଇନ୍: ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର, କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ: ନିର୍ମାଣ କାର୍ଯ୍ୟ ସମୟରେ ସତର୍କତା ପାଇଁ ଗାଇଡଲାଇନ୍ । ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଲେ ଏସଆରସି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରିବେ ଠିକାଦାର । କାର୍ଯ୍ୟ ଚାଲିଥିବା ବେଳେ ସାମାଜିକ ଦୂରତର ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ । ଗାଡି କ୍ଷମତାଠାରୁ ୩୦ରୁ ୪୦ ପ୍ରତିଶତ କ୍ଷମତାର ପରିବହନ ଅନୁମତି ଦେଇଛନ୍ତି । କାର୍ଯ୍ୟସ୍ଥଳରେ ବାଲଟି, ମଗ୍, ସାବୁନ୍, ଓ ଟାୱେଲ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୬୦ ବର୍ଷରୁ ଅଧିକ ବର୍ଷର ଶ୍ରମିକଙ୍କୁ କାମରେ ଲଗାଇବା ମନା । ଖରା ପାଇଁ ଶ୍ରମିକଙ୍କ ଲାଗି ପାନୀୟ ଜଳ ଓ ଗ୍ଲୁକୋଜ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟସ୍ଥଳରେ ଗୁଟଖା, ପାନ ଛେପ, ତମାଖୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ।

କେମିତି ହେବ ନିର୍ମାଣ କାମ?

• ନିର୍ମାଣ କାର୍ଯ୍ୟରେ ଜଡିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କର୍ମ କ୍ଷେତ୍ରରେ ସମାଜିକ ଦୂରତା ନିର୍ଦ୍ଦେଶାବଳୀଗୁଡିକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।

• ନିର୍ମାଣ ସ୍ଥାନରେ କାମ କରୁଥିବା ସମୟରେ ସବୁ ବ୍ୟକ୍ତି ଫେସ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।

• ଠିକାଦାର ତଥା ନିର୍ମାଣ ସଂସ୍ଥା ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭର ନକରି ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା କରାଇବେ । ସେହିପରି ଏହି ଗାଡିଗୁଡିକର ଅନୁମୋଦିତ ଯାତ୍ରୀ କ୍ଷମତାର ମାତ୍ର ୩୦ରୁ୪୦ ପ୍ରତିଶତ ଯାତ୍ରୀ ପରିବହନ କରିବାକୁ ଅନୁମତି ଦିଆଯିବ ।

• କାର୍ଯ୍ୟସ୍ଥଳରେ ଥିବା ଶ୍ରମଶିବିରରେ କାମ କରିବା ଜାଗା, ଶୋଇବା ଘର ଏବଂ ଭୋଜନ କରିବା ଜାଗାରେ ସାମାଜିକ ଦୂରତା ନିୟମ ପାଳନ କରାଯିବ । ଶ୍ରମିକମାନେ କାମ କରୁଥିବା ସ୍ଥାନରେ ଏକାଠି ବସିବା ବା ପରସ୍ପରର ନିକଟତର ହୋଇପାରିବେ ନାହିଁ ।

• ଠିକାଦାର ତଥା ନିର୍ମାଣ ସଂସ୍ଥା ଦ୍ୱାରା କାମ କରୁଥିବା ସ୍ଥାନରେ ବାଲଟି, ମଗ, ସାବୁନ ଟାୱେଲ ସହିତ ହାତ ଧୋଇବାର ବ୍ୟବସ୍ଥା କରାଯିବ ଏବଂ ଏହି ବ୍ୟବସ୍ଥା ଏପରି କରାଯିବ ଯେ ଶ୍ରମିକଙ୍କୁ ହାତ ଧୋଇବା ଲାଗି ଯେବଳି ଏକାଠି ହେବାକୁ ନପଡେ ।

• ସେହିପରି ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି ।

• କୌଣସି ଅସୁସ୍ଥ, ବୃଦ୍ଧ ଏବଂ ଥଣ୍ଡା, କାଶ, ଛିଙ୍କର ଲକ୍ଷଣ ଥିବା ଲୋକଙ୍କୁ କାମ କରିବାକୁ ଅନୁମତି ଦିଆଯିବ ନାହିଁ । ଏବଂ ଶ୍ରମିକମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଲେ ଠିକାଦାର ସଂପୃକ୍ତ ଶ୍ରମିକଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗ କରିବାର ବ୍ୟବସ୍ଥା କରାଇବେ ।

• ନିର୍ମାଣ କାମ ଚାଲୁଥିବା ସ୍ଥାନରେ ପାନ, ଗୁଡଖା, ତମାଖୁ ଇତ୍ୟାଦିର ସେବନ ଏବଂ ଛେପ ପକାଇବା ସଂପୂର୍ଣ୍ଣ ନିଷେଧ ବୋଲି କଡା ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡା ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରାକୁ ନଜରରେ ରଖି କିଛି ଗ୍ରୀଷ୍ମ ପ୍ରବାହ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ ପାଳନ କରିବାକୁ ଚିଠିରେ କୁହାଯାଇଛି । ତେବେ ଶ୍ରମିକଙ୍କୁ ଅତ୍ୟଧିକ ଖରାରୁ ରକ୍ଷା କରିବା ପାଇଁ ନିର୍ମାଣ ଜାଗାରେ ଠିକାଦାର ପର୍ଯ୍ୟାପ୍ତ ଛାୟା ପ୍ରଦାନକାରୀ ବ୍ୟବସ୍ଥା କରାଇବେ । ସେହିପରି ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ କୌଣସି କାମ କରାଯିବ ନାହିଁ ବୋଲି ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି । ଶ୍ରମିକ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବା ସହ ନିର୍ମାଣ ସ୍ଥାନରେ ସମସ୍ତଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବିଶେଷ ଦୃଷ୍ଟି ରଖିବାକୁ ବୋଲି ରାଜ୍ୟର ସମସ୍ତ ଜିଲ୍ଳାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe