ବଦଳିବ ଜେଲ ସୁରକ୍ଷାର ଢ଼ାଞ୍ଚା : ଏବେ କଏଦୀଙ୍କୁ ଜଗିବ ଡ୍ରୋନ କ୍ୟାମେରା; ଜେଲ ବିଭାଗ ପକ୍ଷରୁ ସୂଚନା

110

କନକ ବ୍ୟୁରୋ : ବଦଳିବ ଜେଲ ସୁରକ୍ଷାର ଢ଼ାଞ୍ଚା । ଏବେ କଏଦୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । କଟକ ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡ଼ା ଜେଲରେ ଉଡିବ ଡ୍ରୋନ କ୍ୟାମେରା । କଏଦୀଙ୍କ ଗତିବିଧି ଉପରେ ରଖିବ ନଜର । କଏଦୀମାନେ କ’ଣ କରୁଛନ୍ତି ? କିଏ ଦେଖା କରିବାକୁ ଆସୁଛି ସବୁ ଉପରେ ନଜର ରଖିବ ଡ୍ରୋନ । ଦିଲ୍ଲୀ ତିହାର ଜେଲ ଢ଼ାଂଚାରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିବ ଜେଲ ବିଭାଗ । ଚୌଦ୍ୱାର ଓ ଝାରପଡ଼ା ଜେଲରେ ଟେଲିଫୋନ ବୁଥ ବ୍ୟବସ୍ଥା କରାଯିବ । ଉଭୟ ଜେଲରେ ୪ଟି ଲେଖାଏଁ ବୁଥ ଖୋଲାଯିବ । କଏଦୀମାନେ ନିଜ ଘରର ୨ଟି ନମ୍ବର ଏହି ବୁଥରେ ଦେବେ । କେବଳ କଏଦୀ ଦେଇଥିବା ନମ୍ବରକୁ ହିଁ ଫୋନ ଯିବ । ଅନ୍ୟ ନମ୍ବରକୁ ଫୋନ କଲେ କଲ ଯିବ ନାହିଁ । ୫ମିନିଟ ପର୍ଯ୍ୟନ୍ତ କଥା ହୋଇପାରିବେ କଏଦୀ, ପରେ ଅଟୋମେଟିକ ଫୋନ କଟିଯିବ ବୋଲି ଜେଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ, ଜେଲ୍‌ କର୍ମଚାରୀ ବଡି କ୍ୟାମେରା ପିନ୍ଧିବା ନେଇ ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ଯେଉଁ ସ୍ଥାନରୁ ଅଧିକ ଅଭିଯୋଗ ଆସୁଛି ଓ ଅସୁବିଧା ସୃଷ୍ଟି ହେବାକ ଆଶଙ୍କା ରହିଛି ସେଠାରେ କର୍ମଚାରୀମାନେ ବଡି କ୍ୟାମେରା ବ୍ୟବହାର କରିବେ । ଏହା ସହ ପ୍ରବେଶ ଫାଟକ, ସିସିଟିଭି କ୍ୟାମେରେ କଭରେଜ୍ ନ ଥିବା ସ୍ଥାନ, ସିସିଟିଭି କଭରେଜ୍ ଥିଲେ ବି ସମ୍ବେଦନଶୀଳ ସ୍ଥାନ, କୋର୍ଟ ଓ ହସ୍ପିଟାଲରୁ ଫେରୁଥିବା କଏଦୀଙ୍କୁ ଯାଞ୍ଚ ସମୟରେ, ସେଲରେ ଅଚାନକ୍ ଯାଞ୍ଚ, ହାର୍ଡକୋର୍ କଏଦୀଙ୍କ ପାଖରେ ଥିବା ସମୟରେ ବଡି କ୍ୟାମେରା ବ୍ୟବହାର କରାଯିବ । ଏହି ଡାଟା ରେକର୍ଡ ଓ ଷ୍ଟୋରେଜ୍ କରିବା ପାଇଁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ପ୍ରାଧୀକୃତ ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ଜେଲ ବିଭାଗ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ।