କନକ ବ୍ୟୁରୋ: ଲକଡାଉନ ୩.୦ ସରୁଥିବା ବେଳେ ବିଦେଶରୁ ପ୍ରବାସୀ ଭାରତୀୟଙ୍କୁ ଦେଶକୁ ଫେରାଇ ଆଣୁଛନ୍ତି ସରକାର । ତେବେ ଏତିକି ବେଳେ ଭାରତ ବାହାରେ ମଧ୍ୟ ଅନେକ ଓଡିଆ ଫସି ରହିଛନ୍ତି ଯେଉଁମାନଙ୍କୁ ଓଡିଶା ଆଣିବାକୁ ବିମାନର ବ୍ୟବସ୍ଥା କରାଯାଇଛି । ଦୁବାଇ, ଆମେରିକା, ମାଲେସିଆରୁ ପ୍ରବାସୀ ଓଡିଆ ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚୁଛନ୍ତି । ତେବେ ବିଦେଶରୁ ଫେରିବା ପୂର୍ବରୁ କଣ କରିବାକୁ ପଡିବ । ସେନେଇ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର ।
ବିଦେଶରୁ ବିମାନ ଯୋଗେ ଓଡିଶାକୁ ଆସିବାକୁ ହେଲେ ସେମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବେ । ପଞ୍ଜୀକରଣରୁ କିମ୍ବା ଭାରତ ସରକାରଙ୍କ ପାଖରୁ ଯାତ୍ରୀଙ୍କ ତଥ୍ୟ ନିଆଯିବ । ଉକ୍ତ ତଥ୍ୟକୁ ଜିଲ୍ଲା ବା ଆସୁଥିବା ଯାତ୍ରୀଙ୍କ ଜିଲ୍ଲାକୁ ପଠାଯିବ । ସେଠାରେ ସେମାନେ ବ୍ୟବସ୍ଥା କରିବେ ।
ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ୨୦ ଜଣିଆ ଗ୍ରୁପରେ ସମସ୍ତଙ୍କୁ ଓହ୍ଲାଯିବ । ବିମାନବନ୍ଦରରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯାହାଙ୍କ ଠାରେ ଲକ୍ଷଣ ଦେଖାଯିବ ତାଙ୍କୁ ସାଙ୍ଗେ ସାଙ୍ଗେ ଅନ୍ୟମାନଙ୍କ ଠାରୁ ଅଲଗା କରାଯିବ ଓ କଡା ନଜର ରଖାଯିବ । ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ବାଜିବ ।
ତେବେ ଯେଉଁମାନଙ୍କ ଠାରେ ଲକ୍ଷଣ ନଥିବ ସେମାନେ ପରୀକ୍ଷା ପରେ ନିଜ ଗାଡି କିମ୍ବା ଓଲା,ଉବେର ବା ମୋ ବସ ମାଧ୍ୟମରେ ସେମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ । ଘରେ ପହଞ୍ଚିବା ପରେ ସେମାନେ ୨୮ ଦିନ କ୍ୱାରେଣ୍ଟାଇନରେ ରହିବେ । ହୋମ୍ କ୍ୱାରେଣ୍ଟାଇନ କିମ୍ବା ପେଡ୍ କ୍ୱାରେଣ୍ଟାଇନରେ ରହିବେ । ତେବେ ଯଦି ସେଭଳି କୌଣସି ସୁବିଧା ନହେଲେ ସରକାରୀ କ୍ୱାରେଣ୍ଟାଇନରେ ରହିବା ବ୍ୟବସ୍ଥା କରାଯିବ । ତେବେ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେପଟେ ବିମାନ ପରି ରେଳ ଯାତ୍ରା ମାଧ୍ୟମରେ ଓଡିଶା ଫେରିବାକୁ ସେହି ସମାନ ଫର୍ମୁଲା ଆପଣାଯିବ । ଯେଉଁମାନେ ଓଡିଶାରୁ ଦିଲ୍ଲୀ ଯିବାକୁ ଚାହିଁବେ ସେମାନେ ଇ-ଟିକେଟ ଦେଖାଇ ଭୁବନେଶ୍ୱର ଆସିପାରିବେ । ଆସିବା ବାଟରେ ଯଦି ପୋଲିସ ଅଟକାଇଲେ ତେବେ ସେମାନେ ସେହି ଟିକେଟ ଦେଖାଇ ଭୁବନେଶ୍ୱର ଆସିବେ ଆଉ ପ୍ଲାଟଫର୍ମରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି ଲକ୍ଷଣ ଥିବ ତେବେ ଯାତ୍ରା କରିବାକୁ ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।