କାଲି ଭୁବନେଶ୍ୱରରୁ ଦିଲ୍ଲୀ ଚାଲିବ ରେଳ: ଟ୍ରେନରେ ଆସୁଥିବା ଲୋକ ନିଜସ୍ୱ ସୁବିଧାରେ ଯିବେ; ଗାଇଡଲାଇନ ମାନିବାକୁ ସମସ୍ତେ ବାଧ୍ୟ

ସନ୍ଧ୍ୟା ସୁଦ୍ଧା ଗାଇଡଲାଇନ ପ୍ରସ୍ତୁତ ନେଇ ପରବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା

946

କନକ ବ୍ୟୁରୋ: ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ ଚଳାଚଳ ପ୍ରସଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତ ହେବ ଗାଇଡଲାଇନ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମିଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ୱ ସୁବିଧାରେ ରହିବେ । ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଂଜିକରଣ କରିନଥିବେ ଏହିଠାରେ କରିପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଆସନ୍ତାକାଲିଠାରୁ ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ । ସେହିପରି ୧୪ ତାରିଖରେ ନୂଆଦିଲ୍ଲୀରୁ ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ । ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍ । ଦିବ୍ରୁଗଡ଼, ଅଗରତାଲା, ହାୱଡା, ରାଜେନ୍ଦ୍ର ନଗର, ବିଲାସପୁର, ରାଂଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁର, ଚେନ୍ନାଇ, ଥିରୁଅନ୍ତପୁରମ୍, ମଡଗାଂଓ, ମୁମ୍ବାଇ, ଅହମ୍ମଦାବାଦ ଓ ଜମ୍ମୁକୁ ନୂଆ ଦିଲ୍ଲୀରୁ ଟ୍ରେନ ଯିବ ଓ ସେହି ସହର ଗୁଡିକରୁ ଦିଲ୍ଲୀକୁ ଫେରିବ ଟ୍ରେନ ।

ସେପଟେ, କାଲିଠୁ କଟକ ଭୁବନେଶ୍ୱରରେ ଗଡିବ ବସ୍ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇବେ ରାଜ୍ୟ ସରକାର । ଅଫିସ ସମୟରେ ଚଳାଚଳ କରିବ ଏହି ଗୋଟିଏ ବସ୍ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ତେବେ ଏହି ବସ୍ରେ ଭଡା ୩୦ଟଙ୍କା ରହିବ । ସେହିପରି ଗ୍ରୀନ ଜୋନରେ ବସ ଗଡିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ପରିବହନ ମନ୍ତ୍ରୀ । କହିଛନ୍ତି ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଭଡାକୁ ଦୁଇଗୁଣିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଯେହେତୁ ଗ୍ରୀନ ଜୋନ ରେଡ ହୋଇଯାଉଛି । ତେଣୁ ବସ ଚଳାଚଳ କରିପାରୁନି । ଦିନେ କି ଦୁଇ ଦିନ ଭିତରେ ସରକାର ନିଷ୍ପତି ନେବେ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।