ଅଣନିଶ୍ୱାସୀ କରୁଛି ରାଜଧାନୀ । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ଅତିକ୍ରମ କରି ଦିଲ୍ଲୀ ବନିଯାଇଛି ବର୍ଷର ସବୁଠୁ ଅଧିକ ପ୍ରଦୂଷିତ ଦିନ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆସିଲା ନୂଆ ଆଇନ । ବେଖାତିର କଲେ ୧କୋଟି ଟଙ୍କା ଜରିମାନା ଓ ୫ବର୍ଷ ଜେଲ ଦଣ୍ଡାଦେଶ

182

କନକ ବ୍ୟୁରୋ : ଅଣନିଶ୍ୱାସୀ କରୁଛି ରାଜଧାନୀ । ଦିଲ୍ଲୀ ବାୟୁରେ ବିଷ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ସୂଚକାଙ୍କ ବା ଏୟାର କ୍ୱାଲିଟି ଇଣ୍ଡେକ୍ସ ଚଳିତ ବର୍ଷରେ ଶୀର୍ଷକୁ ଛୁଇଁଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ଅତିକ୍ରମ କଲେ ଏହାକୁ ସିଭିୟର କ୍ୟାଟେଗୋରୀ ବୋଲି କୁହାଯାଏ । ତେବେ ଗୁରୁବାର ସକାଳୁ ଦିଲ୍ଳୀର ଆନନ୍ଦ ବିହାରରେ ବାୟୁ ପ୍ରଦୂଷଣ ସୂଚକାଙ୍କ ୪୦୧ ରେକର୍ଡ କରାଯାଇଥିବା ବେଳେ ଅଲିପୁରରେ ୪୦୫ ଓ ବଜିରପୁରରେ ୪୧୦ପର୍ଯ୍ୟନ୍ତ ପହଂଚିଯାଇଛି । ଗୁରୁବାର ସକାଳୁ ସକାଳୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ କୁହୁଡି ଓ ଧୂଆଁର ଏକ ଗଭୀର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ ବାସୀ ନିଶ୍ୱାସ ନେବା ପାଇଁ କଷ୍ଟ ଅନୁଭବ କରୁଛନ୍ତି ।

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନଜରରେ ରଖି କେନ୍ଦ୍ର ସରକାର ଏକ ନୂଆ ବିଧେୟକ ଆଣିଛନ୍ତି । ଫଳରେ ପ୍ରଦୂଷଣ ବଢାଇଲେ ୫ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଏବଂ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାର ପ୍ରାବଧାନ ରହିଛି । ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ବୁଧବାର ରାତିରେ ଜାରି କରାଯାଇଛି । ଏହି ବିଧେୟକ ଅନୁଯାୟୀ ଦିଲ୍ଲୀ, ହରିୟାଣା, ପଂଜାବ, ଉତରପ୍ରଦେଶ, ରାଜସ୍ଥାନ ଓ ଏହାର ଆଖପାଖ ଅଂଚଳ ପାଇଁ ଏୟାର କ୍ୱାଲିଟି ମ୍ୟାନେଜମେଂଟ କମିଶନ ଗଠନ କରାଯିବ । ଏବଂ ଏଢି ବିଧେୟକ ଅନୁଯାୟୀ କମିଶନର ନିର୍ଦ୍ଦେଶ ପାଳନ ନକଲେ ୫ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଏବଂ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ସେପଟେ ପ୍ରଦୂଷଣକୁ ରୋକିବା ପାଇଁ ଗ୍ରୀନ ଦିଲ୍ଲୀ ଆପ ଜାରି କରିଛନ୍ତି କେଜ୍ରିୱାଲ ସରକାର । ଏହା ଦ୍ୱାରା ପ୍ରଦୂଷଣ ସମ୍ପର୍କିତ ଅଭଯୋଗ କରିପାରିବେ ଦିଲ୍ଲୀବାସୀ ।

ଏହାପୂର୍ବରୁ ବୁଧବାର ଦିନ ଦିଲ୍ଲୀ ପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଥିଲା । ବାୟୂ ପ୍ରଦୂଷଣ ସୂଚକାଙ୍କ ବୁଧବାର ଦିନ ୨୮୧, ମଙ୍ଗଳବାର ଦିନ ୩୧୨, ସୋମବାର ଦିନ ୩୫୩, ରବିବାର ୩୪୯, ଶନିବାର ୩୪୫ ଓ ଶୁକ୍ରବାର ୩୬୬ରେକର୍ଡ କରାଯାଇଥିଲା । ତେବେ ଗୁରୁବାର ଦିନ ଏହା ସମସ୍ତ ରେକର୍ଡକୁ ଭାଙ୍ଗି ବାୟୂ ପ୍ରଦୂଷଣ ସୂଚକାଙ୍କ ଅତ୍ୟନ୍ତ ଖରାପ ରହିଛି ।