ଦେଶ ଆଗ ବ୍ୟବସାୟ ପଛ । ବିକ୍ରି ପୂର୍ବରୁ ସାମଗ୍ରୀ କେଉଁ ଦେଶର, ତଥ୍ୟ ଦେବେ କମ୍ପାନୀ । ଆଇନ୍ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି

1,103

କନକ ବ୍ୟୁରୋ: ଇ-କମର୍ସ କମ୍ପାନୀଗୁଡିକ ପାଇଁ କେନ୍ଦ୍ର ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଣିକି ଯଦି ଇ-କମର୍ସ କମ୍ପାନୀମାନେ ଉପଭୋକ୍ତାଙ୍କୁ ଯୋଗାଉଥିବା ଦ୍ରବ୍ୟ ବା ଉତ୍ପାଦ କେଉଁ ଦେଶରେ ତିଆରି ହୋଇଛି ସେ ବାବଦରେ ବିସ୍ତୃତ ସୂଚନା ନ ଦେବେ ତେବେ ଦଣ୍ଡିତ ହେବେ । ବିଶେଷ କରି କୌଣସି ସାମଗ୍ରୀ ବିଷୟରେ ଯଦି ଗ୍ରାହକଙ୍କୁ ସବୁ ସୂଚନା ଦେଉ ନାହାଁନ୍ତି, ତେବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରେ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ଜେଲ ମଧ୍ୟ ପଠାଯିବ ।

ସୂଚନାଯୋଗ୍ୟ, ନିକଟରେ ଚୀନ୍ ସୀମାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦେଶରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅନେକ ଲୋକ ଜାଣିବାକୁ ଚାଁହୁଛନ୍ତି ଯେ ସେମାନେ ବ୍ୟବହାର କରୁଥିବା ସାମଗ୍ରୀ କେଉଁ ଦେଶରେ ତିଆରି ହେଉଛି । ତେବେ ଇ-କମର୍ସ କମ୍ପାନୀଗୁଡିକ ଦ୍ୱାରା ଅନେକ ଜିନିଷ ବିକ୍ରି ହୁଏ ଯେଉଁଥିରେ ସେମାନେ କେଉଁଠୁ ଆସିଛି ତାହା ଉଲ୍ଲେଖ କରନ୍ତି ନାହିଁ ।

କେନ୍ଦ୍ର ଉପଭୋକ୍ତା ମାମଲା ସଚିବ ଲୀନା ନନ୍ଦନ କହିଛନ୍ତି ଯେ ଯଦି କୌଣସି ଉତ୍ପାଦକ କିମ୍ବା ମାର୍କେଟିଂ କମ୍ପାନୀ ଏହି ଆଦେଶ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ପ୍ରଥମ ଥର ପାଇଁ ସେମାନଙ୍କୁ ୨୫ ହଜାର ଟଙ୍କା, ଦ୍ୱିତୀୟ ଥର ପାଇଁ ୫୦ ହଜାର ଟଙ୍କା ଆଦାୟ କରାଯିବ । ତେବେ ଏହି ଭୁଲ ଯଦି ବାରମ୍ବାର କରନ୍ତି ତେବେ ୧ ଲକ୍ଷ ଟଙ୍କା ଜରିମାନା ସହ ୧ବର୍ଷ ଜେଲ ଦଣ୍ଡ ଦିଆଯାଇପାରେ । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ନିୟମ କେବଳ ଦୋକାନରେ ସାମଗ୍ରୀ ବିକ୍ରୟ କ୍ଷେତ୍ରରେ ନୁହେଁ ବରଂ ଇ-କମର୍ସ କମ୍ପାନୀଗୁଡିକ ପାଇଁ ମଧ୍ୟ ଲାଗୁ ହେବ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.