ଦଶହରା ପରେ ଫିକା ପଡିବ ଦୀପାବଳି ! ଶୁଭିବନି ଢୋ, ଢା..ଉଡିବନି ରକେଟ୍ !

393

କନକ ବ୍ୟୁରୋ : ଦଶହରା ପରେ ଫିକା ପଡିପାରେ ଦୀପାବଳି । ଦେଶରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ଏବଂ ଅନ୍ୟ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଓଡ଼ିଶାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇପାରନ୍ତି ରାଜ୍ୟ ସରକାର । ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହେଲା ପରେ ଶରୀରର ଲଙ୍ଗସ ବା ଫୁସଫୁସ ଅଧିକ ପ୍ରଭାବିତ ହେଉଥିବାର ନଜିର ରହୁଛି । ତେଣୁ ଦୀପାବଳି ସମୟରେ ପ୍ରଦୂଷଣକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେଣୁ କଟକଣା ଲଗାଇବାକୁ ସରକାର ନିର୍ଣ୍ଣୟ କରିଥିବା ସୂଚନା ମିଳିଛି ।

ଦଶହରା ପରେ ଫିକା ପଡିବ ଦୀପାବଳି ! ଶୁଭିବନି ଢୋ, ଢା ! ଉଡିବନି ରକେଟ୍ । କରୋନାର ନୂଆ ଭାରିଆଣ୍ଟ ଏବଂ ଅନ୍ୟ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଦୀପାବଳି ବେଳେ ବାଣ ଫୁଟାଇବା ଉପରେ କଟକଣା ଲଗାଇ ପାରନ୍ତି । ଦଶହରା ବେଳେ ପଡୋଶୀ ପଶ୍ଚିମବଙ୍ଗରେ ସବୁ କିଛି ଖୋଲା ମେଲା ଥିଲା । ଆଉ ଏବେ ସେଠାରେ ସଂକ୍ରମଣ ବଢିବାରେ ଲାଗିଛି ।

ସେହିପରି ମହାରାଷ୍ଟ୍ର ଏବଂ ଇନ୍ଦୋରରେ କରୋନାର ନୂଆ ଭାରିଆଣ୍ଟ ମଧ୍ୟ ସାମ୍ନାକୁ ଆସିଛି । ଏହି ଏ.ୱାଇ. ୪.୨ ଭାରିଆଣ୍ଟ ଡେଲଟା ଭାରିଆଣ୍ଟର ଏକ ଉପ ଶ୍ରେଣୀ ବୋଲି ଜଣାପଡିଛି । ତେଣୁ ସରକାର ସତର୍କତାମୂଳକ ଭାବେ କଟକଣା ଲଗାଇ ପାରନ୍ତି ବୋଲି କୁହାଯାଉଛି ।

ମହାରାଷ୍ଟ୍ର ଏବଂ ଇନ୍ଦୋରରେ ଚିହ୍ନଟ ହୋଇଥିବା ଏ.ୱାଇ. ୪.୨ କେତେ ମାରାତ୍ମକ ଜଣାପଡିନି । କିନ୍ତୁ ବ୍ରିଟେନରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ଏହି ଭାରିଆଣ୍ଟ ପ୍ରାୟତଃ ରହିଛି । ଆଉ ୟୁକେ ଏହାକୁ ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନରେ ରଖିଛି । ଏହା ଡେଲଟା ଭଳି ଅଧିକ ସଂକ୍ରମିତ ବୋଲି ଜଣାପଡିଛି ।

ସେହିପରି ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ହେଲେ ମଧ୍ୟ କୋଭିଡ ପରବର୍ତୀ ସ୍ଥିତି ଚିନ୍ତାଜନକ । ମୁଖ୍ୟତଃ ଏହି ସମୟରେ ଶରୀରର ଲଙ୍ଗସ ବା ଫୁସଫୁସ ଅଧିକ ପ୍ରଭାବିତ ହେଉଥିବାର ନଜିର ରହୁଛି । ତେଣୁ ଦୀପାବଳି ବେଳେ ପ୍ରଦୂଷଣକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ଯେହେତୁ ବାଣ ଫୁଟିଲେ ପ୍ରଦୂଷଣ ବଢିବ ଆଉ ଫୁସଫୁସ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି, ତେଣୁ କଟକଣା ଲଗାଇବାକୁ ସରକାର ନିର୍ଣ୍ଣୟ କରିଥିବା ସୂଚନା ମିଳିଛି । ସେହିପରି ଦେଶରେ ଟିକାକରଣ ଜୋରଦାର ରହିଛି । ହେଲେ ପ୍ରଥମେ ଯେଉଁମାନେ ଟିକା ନେଇଥିଲେ ସେମାନେ ଏବେ ବୁଷ୍ଟର ଡୋଜ ନେବା ଦରକାର କି ନାହିଁ କେନ୍ଦ୍ରରୁ କୌଣସି ନିର୍ଦ୍ଦେଶ ଆସିନଥିବା ଜଣାପଡିଛି ।