ହିମାଚଳପ୍ରଦେଶରେ ଭୁଶୁଡିଲା ଗେଷ୍ଟହାଉସର ବିଲ୍ଡିଂ । ସେନାର ୩୫ ଜଣ ଯବାନ ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ଆଶଙ୍କା । ।

242

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ପ୍ରବଳ ବର୍ଷାରେ ଭୁଶୁଡିଲା ଗେଷ୍ଟହାଉସର ବିଲ୍ଡିଂ । ପ୍ରାୟ ୩୫ ଜଣ ଭାରତୀୟ ସେନାର ଯବାନ ଏହି ବିଲ୍ଡିଂ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । ହିମାଚଳପ୍ରଦେଶର କୁମାରହଟ୍ଟି-ନାହନ ହାଇୱେରେ ଏହି ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ପ୍ରଶାସନ ଓ ସାଧାରଣ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ମୁତାବକ, ଯବାନ ମାନେ ବସରେ ଯାତ୍ରା କରୁଥିବା ବେଳେ ଖାଇବା ପାଇଁ କୁମାରହଟ୍ଟି-ନାହନ ହାଇୱେରେ ଅଟକିଥିଲେ । ତେବେ ପ୍ରବଳ ବର୍ଷା କାରଣରୁ ଯବାନ ମାନେ ଖାଉଥିବା ଢାବା ଓ ଗେଷ୍ଟହାଉସ ଧସି ଯାଇଥିଲା । ଫଳରେ ବିଲ୍ଡିଂ ତଳେ ୩୫ ଜଣ ଯବାନ ଚାପି ହୋଇଥିବା ଆଶଙ୍କା କରାଯାଉଛି । ହିମାଚଳ ପ୍ରଦେଶରେ ଗତ କିଛି ଦିନ ହେବ ମୂଷଳ ଧାରାରେ ବର୍ଷା ହେଉଥିବା ବେଳେ ଗତକାଲି ମଧ୍ୟ ଏଭଳି ଏକ ଅଘଟଣ ହୋଇଥିଲା । ଯେତେବେଳେ ସୋଲନ ଅଞ୍ଚଳରେ ରାସ୍ତାରେ ଯାଉଥିବା ଏକ ଗାଡିର ଉପର ପାଶ୍ୱର୍ ଉଡିଯାଇଥିବା ବେଳେ ହୋଟେଲ ଗୁଡିକ ମଧ୍ୟ ଭାଙ୍ଗି ରୁଜି ଯାଇଥିଲା ।

ଶନିବାର ଏଠାରେ ଏତେ ବର୍ଷା ହୋଇଥିଲା ଯେ ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗି ଯାଇଥିଲା । ଏପରିକି ପ୍ରବଳ ବର୍ଷା କାରଣରୁ ନଦୀ ଓ ନାଳରେ ପାଣି ଭରିଯିବା ସହ ରାସ୍ତା ଉପରେ ଚାଲିଥିଲା । ପ୍ରବଳ ବର୍ଷାରେ ମଇଳା ପାଣି ଘର, ହୋଟେଲରେ ମଧ୍ୟ ପଶିଥିଲା । ଏପରିକି ବର୍ଷା କାରଣରୁ ସୋଲନ-ଚାୟଲ ରାସ୍ତାକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା ।