ଗୁଡୁକଙ୍କ ସୁରକ୍ଷା ଆମ ଦାୟିତ୍ୱ। ଅସ୍ତରଙ୍ଗରେ ସମୁଦ୍ରକୂଳର ସାଜିଛି ସୁରକ୍ଷା କବଚ।

169

କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ୱବାସୀ ଅନୁଭବ କରୁଛନ୍ତି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ସମୁଦ୍ର ଧୀରେ ଧୀରେ କୂଳ ଲଙ୍ଘିବାରେ ଲାଗିଛି । ସମୁଦ୍ରର ଏଭଳି ପରିବର୍ତ୍ତନ ଯୋଗୁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ସମୁଦ୍ରକୂଳିଆ ଲୋକେ । ତେବେ ସମୁଦ୍ରକୂଳରେ ଥିବା କିଛି ଉଦ୍ଭିଦଙ୍କ ଯୋଗୁ କୂଳ ମଧ୍ୟ ସୁରକ୍ଷିତ ରହୁଥିବା ନଜର ଆସିଛି । ଅସ୍ତରଙ୍ଗ ସମୁଦ୍ରକୂଳରେ ଗୁଡୁକଙ୍କ ଯୋଗୁ ସୁରକ୍ଷିତ ହୋଇପାରୁଛି ସ୍ଥାନୀୟ ଅଞ୍ଚଳ । ଗୁଡୁକଙ୍କ ହେଉଛି ସମୁଦ୍ରକୂଳରେ ଦେଖାଯାଉଥିବା ଏକ କଣ୍ଟକିତ ଘାସଜାତୀୟ ଉଦ୍ଭିଦ । ଏହାର ଇଂରାଜୀ ନାମ ହେଉଛି ସ୍ପିନିଫେକ୍ସ । ଏହି ଉଦ୍ଭିଦଟି ବୀସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ନିଜର କାୟା ବିସ୍ତାର କରିଥାଏ । ରାତିରେ ପଡୁଥିବା ଶିଶିରକୁ ଜଳଭାବେ ଗ୍ରହଣ କରି ଏହି ଲତା ବ୍ୟାପିଯାଇଥାଏ । ଅନେକ ସମୟରେ ବିଭିନ୍ନ କାରଣରୁ ସମୁଦ୍ର ଉପକୂଳରେ ବାଲିକ୍ଷୟ ହୋଇଥାଏ କିନ୍ତୁ, ଏହି ଗଛ ପାଇଁ ବାଲୁକା ରାଶି ଗୋଟିଏ ସ୍ଥାନରେ ସ୍ତୁପ ହୋଇ ରହିଯାଏ । ଯାହା ଫଳରେ ଉଚ୍ଚ ଜୁଆର ଏହି ବାଲୁକା ସ୍ତୁପରେ ମାଡଖାଇ ସମୁଦ୍ରକୁ ଫେରିଯାଏ । ଏହା ହେବା ଦ୍ୱାରା ସମୁଦ୍ରକୂଳିଆ ଲୋକଙ୍କ ଧନଜୀବନ ସୁରକ୍ଷିତ ହୋଇପାରିଛି ।

ଗୁଡୁକଙ୍କ ଉଦ୍ଭିଦ କଣ୍ଟାଜାତୀୟ ତୃଣ ହୋଇଥିବା ବେଳେ ସମୁଦ୍ରକୂଳରେ ଲଟାଭାବେ ପଡିଥାଏ । ପବନର ପ୍ରବାହରେ ବାଲି ଉଡି ଏହି ଲଟା ପାଖରେ ପଡିଥାନ୍ତି । ତେବେ କିଛି ସମୟ ମଧ୍ୟରେ ସେଠାରେ ଏକ ବାଲୁକା ସ୍ତୁପ ଦେଖିବାକୁ ମିଳିଥାଏ । ଚେରମାଧ୍ୟମରେ ଏହା ବାଲୁକାକୁ ଜାବୁଡି ଥରିଥାଏ । କେବଳ ବାରତ ନୁହେଁ ଏହା ଆଫ୍ରିକା, ମଧ୍ୟପୂର୍ବ ଏସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡରେ ଦେଖିବାକୁ ମିଳିଥାଏ । ଅନେକ ସାମୁଦ୍ରିକ ଜୀବ ମଧ୍ୟ ଏଠାରେ ଗାତ କରି ରହିଥାନ୍ତି । ତେବେ ଏହାର ସଂରକ୍ଷଣର ଆବଶ୍ୟକତା ରହିଛି । ଏହା ହେବା ଦ୍ୱାରା ଆମେ ସମୁଦ୍ରକୂଳର ସୁରକ୍ଷା କରିପାରିବା ।

ଦିନକୁ ଦିନ ଯେଉଁଭଳି ପରିବର୍ତ୍ତନ ବିଶ୍ୱରେ ସଂଗଠିତ ହେଉଛି ସେହି ସମୟରେ ଗୁଡୁକଙ୍କର ସରଂକ୍ଷଣ ନିହାତି ଆବଶ୍ୟକ । ତେଣୁ ଆସନ୍ତୁ ଆମେ ସମସ୍ତେ ଏଥିପାଇଁ ପଦକ୍ଷେପ ନେବା । ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇଆଣିବା ପାଇଁ ଚେଷ୍ଟା କରିବା ପୁନଶ୍ଚ ପୃଥିବୀର ସଙ୍କଳ୍ପ ନେବା ।