କନକ ବ୍ୟୁରୋ: ଯେଉଁ ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମକୁ ଧରିବା ପାଇଁ ଉତ୍ତରପ୍ରଦେଶ ଏସଟିଏଫ ଆପ୍ରାଣ ଉଦ୍ୟମ କରୁଛି, ଗୋଟିଏ ପରେ ଗୋଟିଏ ସହରରେ ଚଢ଼ାଉ କରୁଛି, ସେହି ଗ୍ୟାଙ୍ଗଷ୍ଟାର୍, ଓଡ଼ିଶା ଆସି ଲୁଚିଥିବା ଖବର ସାମ୍ନାକୁ ଆସିଛି ।

Advertisment

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବ ରିପୋର୍ଟ ଅନୁସାରେ- ଏପ୍ରିଲ ୨ରୁ ୧୩ ତାରିଖ ଯାଏଁ ଓଡ଼ିଶାରେ ରହିଥିଲା ଗୁଡ୍ଡୁ ମୁସଲିମ୍ । ଏହି ଦୁର୍ଦ୍ଦାନ୍ତ ଅପରାଧୀର ଶେଷ ଠିକଣା ଥିଲା ଓଡ଼ିଶା । ପୁଲିସ୍, ଗୁଡ୍ଡୁ ପାଖରେ ପହଂଚିବା ପୂର୍ବରୁ ଫେରାର୍ ହୋଇଯାଇଥିଲା । ଚମ୍ପଟ ମାରିବା ପୂର୍ବରୁ ଗୋଟିଏ ବ୍ୟାଗ୍ ଛାଡ଼ିଯାଇଥିଲା । ଏହି ବ୍ୟାଗରୁ ଗୁଡ୍ଡୁ ମୁସଲିମର ପୋଷାକ ଜବତ କରାଯାଇଛି । ଓଡ଼ିଶାରୁ ଛତିଶଗଡ଼ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି ।

ଗୁଡ୍ଡୁ ମୁସଲିମ୍୍ ଓଡ଼ିଶା ଆସିଥିବା ସେତେବେଳେ ସନ୍ଦେହ ବଢ଼ିଥିଲା, ଯେତେବେଳେ ୟୁପି ଏସଟିଏଫ୍୍ ଟିମ୍ ବରଗଡ଼ ଆସି ରାଜା ଖାନକୁ ପଚରାଉଚରା କରିଥିଲା । ଏମିତି କି ୟୁପି ଏସଟିଏଫ୍ ଆସି, ଜେରା କରିଥିବା କଥାକୁ ମାନିଥିଲା ଓଡ଼ିଶା ପୁଲିସ୍ । ରାଜା ଖାନ୍ ହେଉଛି ସେହି ବ୍ୟକ୍ତି ଯିଏ ଓଡ଼ିଶା ଓ ଛତିଶଗଡ଼ରେ ରହି କାରବାର କରୁଥିଲା । କିନ୍ତୁ ରାଜା ଖାନ୍ ଛତିଶଗଡ଼ରେ ନୁହେଁ ବରଂ ବରଗଡ଼ରେ ରହୁଥିବା କହିଛନ୍ତି ମହାସମୁଦ ଏସପି ।

ଏପଟେ ଗୁଡୁ ମୁସଲିମର ସହଯୋଗୀ, ରାଜା ଖାନ୍ ବରଗଡ଼ରେ ରହି କାରବାର କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା । ରାଜା ଖାନଙ୍କୁ କିଏ ପ୍ରଶ୍ରୟ ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ସେ ଆହୁରି ଅଭିଯୋଗ ଆଣି କହିଛନ୍ତି, ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ରାଜା ଖାନ୍ ବରଗଡରେ ରହୁଥିଲା । ସେହି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ନୁହନ୍ତି ତ ବୋଲି ପ୍ରଶ୍ନ କରିଛନ୍ତି । ବିଜେପିର ଅଭିଯୋଗ ଉପରେ ସୁଶାନ୍ତ ସିଂ କନକ ନ୍ୟୁଜ୍୍କୁ ସୂଚନା ଦେଇ କହିଛନ୍ତି-ଅଭିଯୋଗ ଭିତ୍ତିିହୀନ । ରାଜା ଖାନକୁ ସେ ଜାଣିନାହାନ୍ତି । ବିଜେପି ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ । ।

ଗୁଡ୍ଡୁ ମୁସଲିମଙ୍କୁ ନେଇ କେବଳ ଓଡ଼ିଶାରେ ରାଜନୀତି ହେଉଛି ତାହା ନୁହେଁ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ମଧ୍ୟ ଘେରିଛି ବିଜେପି । ହତ୍ୟା, ଅଣ୍ଡର ୱାର୍ଲଡ ସହ ଲିଙ୍କରେ ଥିବା ଜଣେ ଅପରାଧୀ ଛତିଶଗଡରେ କେମିତି ରହିଲେ ଏବଂ ରାଜ୍ୟ ସରକାର କେମିତି ଜାଣିପାରିଲେନି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା । ଏସବୁ ଭିତରେ ଗୁଡ୍ଡ ମୁସଲିମ୍ ଓଡ଼ିଶା ଲୁଚିବାର ଖବରକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।