ପିଜୁଳି ଚାଷ ଫିଟାଇଲା ରୋଜଗାରର ବାଟ । ପଦ୍ମପୁରର ଅଜିତ ବିଶ୍ୱାଳ ଥାଇଲାଣ୍ଡ ପିଜୁଳି ଚାଷ କରି ହୋଇଛନ୍ତି ସଫଳ

292

କନକ ବ୍ୟୁରୋ : ପିଜୁଳି ଚାଷ ବି ଆଣିଦେଇପାରେ ସଫଳତା । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବର୍ତମାନ ସମୟରେ ଯୁବପୀଢି ପାଠପଢା ସରିବା ପରେ ଚାକିରୀ ପଛରେ ଧାଉଁଥିବା ବେଳେ ନିଜେ କିଛି କରିବାର ସାହାସ ଦେଖାଇଛନ୍ତି ପଦ୍ମପୁରର ଅଜିତ ବିଶ୍ୱାଳ । ବିପିଏଡ୍ ସାରି ଚାଷରେ ମନୋନିବେଶ କରିଛନ୍ତି ଅଜିତ ବିଶ୍ୱାଳ । ଥାଇଲାଣ୍ଡ ପିଜୁଳି ଚାଷ କରି ନିଜେ ସଫଳତା ପାଇବା ସହ ଅନ୍ୟଙ୍କ ପାଇଁ ସୃଷ୍ଟି କରିଛନ୍ତି ରୋଜଗାରର ବାଟ ।

ପଦ୍ମପୁର ଉପଖଣ୍ଡ ଚାରପାଲି ଗ୍ରାମ ପଂଚାୟତର ଅଜିତ ବିଶ୍ୱାଳ । ଶିକ୍ଷାଗତ ଯୋଗ୍ୟତା ବିପିଏଡ । ନିଜର ଶିକ୍ଷାଗତ ଯୋଗ୍ୟତା ଓ ଚାକିରି ପଛରେ ନ ଗୋଡେଇ ଉଦ୍ୟାନ କୃଷିରେ ମନୋନିବେଶ କରି ପଦ୍ମପୁର ଅଂଚଳରେ ପିଜୁଳି ଚାଷ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଠି କରିଛନ୍ତି । ମାତ୍ର ୨୫ ଡେସିମିଲ ଜମିରେ ୧୦୦ ଗୋଟି ଥାଇଲାଣ୍ଡ ଗୁଆଭା ପ୍ରଜାତିର ପିଜୁଳି ଚାରା ଲଗାଇ ଆର୍ଥୀକ ସ୍ୱାବାଲମ୍ଭୀ ହୋଇପାରିଛନ୍ତି । ପିଜୁଲି ଗଛ ଧାଡିକୁ ଧାଡି ୧୨ ଫୁଟ ବ୍ୟବଧାନରେ ଏବଂ ଗଛକୁ ଗଛ ଆଠ ଫୁଟ ବ୍ୟବଧାନରେ ରହିଛି । ଥାଇଲାଣ୍ଡରୁ ଆସିଥିବା ଏହି ପିଜୁଲି ଗୋଟାକୁ ୫୦୦ ଗ୍ରାମରୁ ୧ କେଜି ହୋଇଥିବାରୁ ତାକୁ ଥାଇ ୧କେଜି ମଧ୍ୟ କୁହାଯାଏ ।

ଜୈବିକ ପଦ୍ଧତିରେ ଚାଷ କରି ଦୁଇ ବର୍ଷର ଗଛରୁ ପ୍ରାୟ ୧୦ ରୁ ୧୨ କେଜି ପିଜୁଲି ଅମଳ ହେଉଛି । ମୁଖ୍ୟତ ପିଜୁଲି ୫୦ ରୁ ୧୦୦ ଗ୍ରାମ ହେଲାପରେ ତାକୁ ଜୀବାଣୁ ମୁକ୍ତ ପ୍ଲାଷ୍ଟିକ ବ୍ୟାଗରେ ଘୋଡେଇ ଦିଆଯାଉଛି , ତା ଉପରେ କାଗଜ ଘୋଡାଇ ଦିାଯାଉଛି । ମୁକ୍ତ ପବନ ପାଇବା ପାଇଁ ପ୍ଲାଷ୍ଟିକରେ ଛିଦ୍ର କରାଯାଇଥାଏ ।

ଜୀବାଣୁ ମୁକ୍ତ ପ୍ଲାଷ୍ଟିକ ବ୍ୟାଗ ଓ କାଗଜ ଘୋଡାଇବା ଦ୍ୱାରା ପିଜୁଲି ଜୀବାଣୁ ମୁକ୍ତ ହେବା ସହ ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ନଷ୍ଟ ହେଉ ନାହିଁ ଏବଂ ପିଜୁଲିର ଚୋପା ମୋଟା ହେବା ପରିବର୍ତେ ପତଳା ରହୁଛି ଏବଂ ପିଜୁଳି ଅଧିକ ସୁଆଦିଆ ଲାଗୁଛି । କେବଳ ଏତିକି ନୁହେଁ ଡ୍ରିପସ ଦଦ୍ଧତିରେ ପାଣି ଦିଆଯାଉଥିବା ଯୋଗୁଁ ପାଣିର ଅବକ୍ଷୟ ହେଉନାହିଁ । ତେବେ ଜୈବିକ ପଦ୍ଧତିରେ ପିଜୁଳି ଚାଷ ହେଉଥିବା କାରଣରୁ ଏହା ସୁସ୍ୱାଦୁ ଲାଗେ ତେଣୁ ଏହି ପିଜୁଳିର ଚାହିଦା ବେସ୍ ଅଧିକ ।

ଗୋଟିଏ ଗଛରୁ ପ୍ରାୟ ୧୦ ରୁ ୧୨ କେଜି ପିଜୁଲି ଅମଲ ହେଉଥିବାରୁ ଅଜିତ ୧୦୦ ଗୋଟି ଗଛରୁ ପ୍ରାୟ ଏକ କ୍ୱିଂଟାଲ ପିଜୁଲି ଅମଲ କରୁଛନ୍ତି ଏବଂ ବଜାରରେ କେଜି ପ୍ରତି ୭୦ଟଙ୍କାରେ ବିକ୍ରି କରୁଛନ୍ତି । ବର୍ଷକୁ ପିଜୁଲି ଦୁଇଥର ଅମଳ ହେଉଛି ।

ଅଜିତ ଏହି ପିଜୁଳି ଚାଷ ଦ୍ୱାରା ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଲୋକଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି । ଏହି ପିଜୁଲି ବଗିଚା ଯୋଗୁ ତାଲାବନ୍ଦ ସମୟରେ ଅଜିତ ଶ୍ରମିକ ମାନଙ୍କୁ କାମ ଯୋଗାଇବାରେ ସକ୍ଷମ ହୋଇଛନ୍ତି । ଅଜିତଙ୍କ ବାପା ମଧ୍ୟ ଏହା ପୂର୍ବରୁ ଚାଷ କରି ରାଜ୍ୟ ତଥା ରାଜ୍ୟ ବାହାରେ ପୁରଷ୍କୃତ ହୋଇ ଅଂଚଳକୁ ଗୌରବାନ୍ମିତ କରିଛନ୍ତି । ପାଠ ପଢା ସରିବା ପରେ ଚାକିରି ପଛରେ ନ ଗୋଡେଇ ଯୁବ ବୟସରୁ ଚାଷ ପ୍ରତି ଆକୃଷ୍ଟ ହୋଇ ଦେଶ ବାହାରର ପ୍ରଜାତିର ପିଜୁଲି ଜୈବିକ ପଦ୍ଧତିରେ ଚାଷ କରି ଭଲ ଅମଲ କରି ବଜାରରେ ଭଲ ଦରରେ ବିକ୍ରି କରି ଲାଭାନ୍ମିତ ହେବା ଫଲରେ ଅଜିତ ପଦ୍ମପୁର ଅଂଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହି ଶିକ୍ଷିତ ଯୁବ ଚାଷୀ ଅଜିତଙ୍କ ପରି ଯୁବ ସମାଜ ନିଜର ଜ୍ଞାନ ପ୍ରୟୋଗ କରି ସ୍ୱାବଲମ୍ବୀ ହେବା ଦ୍ୱାରା କେବଳ ରାଜ୍ୟର ନୁହେଁ ଦେଶର ଅର୍ଥନିତି ସୁଦୃଢ ହେବାରେ ସହାୟତା ହେବ ।