ଓଡ଼ିଆ ସିନେମାକୁ ମିଳୁନି ହଲ୍ : ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ ଓଡ଼ିଆ ଫିଲ୍ମ; ଚିନ୍ତାରେ ସିନେ ପ୍ରଯୋଜକ

256

କନକ ବ୍ୟୁରୋ : ଓଡ଼ିଆ ସିନେମାକୁ ମିଳୁନି ହଲ୍ । ଓଡ଼ିଆ ସିନେମାରେ ଜୱାନ୍ ଫିଲ୍ମର ପ୍ରଭାବ । ଜୱାନ୍ ପାଇଁ ରିଲିଜ୍ ହୋଇପାରୁନାହିଁ ଓଡ଼ିଆ ସିନେମା । ପାଖାପାଖି ୪ଟି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇପାରି ନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ । ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଯୱାନର ଡିଷ୍ଟ୍ରିବୁସନ୍ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡ଼ିଶାର ସମସ୍ତ ସିନେମା ହଲ ସହିତ ଚୁକ୍ତି କରିଛନ୍ତି । ଯେଉଁଥିପାଇଁ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ହଲ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଓଡ଼ିଆ ପ୍ରଯୋଜକ ।

ଯେହେତୁ ଏବେ ଓଡ଼ିଶାରେ ହଲ ସଂଖ୍ୟା କମିବାରେ ଲାଗିଛି, ତେଣୁ ଗୋଟିଏ ଫିଲ୍ମ ପାଇଁ ଯଦି ସମସ୍ତ ହଲକୁ ବୁକ୍ କରାଯିବ, ଆଗକୁ ଓଡ଼ିଆ ଫିଲ୍ମ କେମିତି ରିଲିଜ୍ ହେବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ । ତେବେ ଆଗରୁ ଯେଉଁ ନିୟମ ଥିଲା, ଓଡ଼ିଆ ଚଳଚ୍ଚିତ୍ରକୁ ୭ ସପ୍ତାହ ସ୍କ୍ରିନ୍ ମିଳିବ । ତାକୁ କଡ଼ାକଡ଼ି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଉ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଓଡ଼ିଆ ପ୍ରଯୋଜକ ଦାବି କରିଛନ୍ତି ।