ଜିଏସଟିକୁ ଚାଲେଞ୍ଜ ! ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

56

କନକ ବ୍ୟୁରୋ: ସେବା ଏବଂ ବସ୍ତୁ କର (ଜିଏସଟି) ଲାଗୁକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଅଲ ଇଣ୍ଡିଆ ଆସୋସିଏସନ ଅଫ ଟ୍ୟାକ୍ସ ଲୟର୍ସ ଓ ବ୍ରହ୍ମପୁର ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜିଏସଟି ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଓ ସମ୍ବିଧାନ ବିରୋଧୀ । ସଂଘୀୟ ବ୍ୟବସ୍ଥାର ଏହା ପରିପନ୍ଥୀ । ଟିକସ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ଗୁଡିକର ସ୍ୱତନ୍ତ୍ରତା ଉପରେ ଜିଏସଟି ବ୍ୟବସ୍ଥା ଅଙ୍କୁଶ । ଏଥି ସହିତ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିବା ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଜିଏସଟି ଲାଗୁ ଦ୍ୱାରା କ୍ଷୁଣ୍ଣ ହୋଇଛି । ବିନା କୌଣସି ପ୍ରାକ୍ ପ୍ରସ୍ତୁତିରେ ଜିଏସଟି ଲାଗୁ କରାଯାଇଥିବା ବେଳେ ଏହା କରଦାତା ଓ କର ପରାମର୍ଶଦାତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି ।

ଜିଏସଟିରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, କ୍ଷୁଦ୍ର ବ୍ୟବସାୟୀ କମ୍ପ୍ୟୁଟରୀକରଣକୁ ଆପଣାଇବା ଅସମ୍ଭବ ହୋଇପଡିଛି । ଜିଏସଟିରେ ସମୟ ଅପଚୟ ହେବା ସହ ବିନା କାରଣରେ ଜରିମାନା ଦେବାକୁ ପଡୁଛି । ଜିଏସଟି ସଂପର୍କରେ ତଥ୍ୟ ପାଇବା ପାଇଁ ହେଲପ୍ ଲାଇନ ସହ ଯୋଗାଯୋଗ କଲେ କୌଣସି ସୁଫଳ ମିଳୁନାହି । ସେହିପରି ବୈଷୟିକ ତ୍ରୁଟି ପାଇଁ ୨ମାସ ହେଲା ବହୁ ଲୋକ ରିଟର୍ଣ୍ଣ ଫାଇଲ କରି ପାରୁ ନାହାନ୍ତି। ଜିଏସଟି ନିୟମରେ ଉଲ୍ଲଘଂନ ପାଇଁ ଦଣ୍ଡ ଓ ଜରିମାନା ବ୍ୟବସ୍ଥା ଥିବା ବେଳେ ଏପରି କରାଯିବା କଥା ନୁହେଁ । ଲୋକମାନେ ଏ ପର୍ଯ୍ୟନ୍ତ ଜିଏସଟି କଣ ଠିକ୍ ଭାବେ ଜାଣି ପାରିଲେ ନାହିଁ । ଲୋକମାନଙ୍କ ଭିତରେ ଏପରି ନୂଆ ବ୍ୟବସ୍ଥା ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ସମୟରେ ଟିକସ ପଇଠ କରୁଥିବା ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଓ ଯେଉଁମାନେ ଏଥିରେ ଖିଲାପ କରୁଛନ୍ତି ସେମାନଙ୍କୁ ଅଧିକ ସୁଯୋଗ ଦେବା ଜରୁରୀ ।

ଜିଏସଟି ଲାଗୁ ଫଳରେ ଛୋଟ ବଡ ବ୍ୟବସାୟୀମାନେ ନାକେଦମ ହେଲେଣି ବୋଲି ଆବେଦନରେ ଦର୍ଶାଯାଇଛି । ଜିଏସଟି ବ୍ୟବସ୍ଥାର ସରଳୀକରଣ ଆବଶ୍ୟକ । କଡା କଡି ଭାବେ ଜିଏସଟି ଲାଗୁ ପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ପୂର୍ବରୁ ଜିଏସଟିକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ଓ ରାଜସ୍ଥାନ ହାଇକୋର୍ଟରେ ମାମଲା ରୁଜୁ ହୋଇ ସାରିଛି ବୋଲି ଆବେଦନରେ ଦର୍ଶାଯାଇଛି । ମାମଲାରେ କେନ୍ଦ୍ର ସରକାରଙ୍କ ଅର୍ଥ ଓ ଆଇନ ବିଭାଗ, ରାଜ୍ୟ ଅର୍ଥ ବିଭାଗ, ଆଇନ ବିଭାଗ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ୍ ଆଣ୍ଡ୍ କଷ୍ଟମ୍ସ, ରାଜ୍ୟ ବାଣିଜ୍ୟକର କମିସନର, ଜିଏସଟି କାଉନସିଲ ଏବଂ ଗୁଡ୍ସ ଆଣ୍ଡ୍ ସର୍ଭିସ୍ ଟ୍ୟାକ୍ସ ନେଟଓ୍ଵର୍କକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କହ୍ନେୟାଲାଲ ଶର୍ମା, ଆର୍.ଏନ୍.ପାଲ, ଏମ୍.କେ.କୌଶିକ ଓ ପୂର୍ଣ୍ଣଚନ୍ଦ୍ର ହୋତା ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।