କେନ୍ଦ୍ର ସରକାରଙ୍କ ପାଇଁ ଖୁସିଖବର । ଲଗାତାର ଦ୍ୱିତୀୟ ମାସରେ ଜିଏସଟି ରାଜସ୍ୱ ଆଦାୟ ୧ ଲକ୍ଷ କୋଟି ଟପିଲା ।

601

କେନ୍ଦ୍ର ସରକାରଙ୍କ ପାଇଁ ଖୁସି ଖବର । ଡିସେମ୍ବର ମାସରେ ଦେଶର ଜିଏସଟି ରାଜସ୍ୱ ୧୦୩,୧୮୪ କୋଟି ଟଙ୍କାରେ ପହଞ୍ଚିଛି । ଏହା ଡିସେମ୍ବର ୨୦୧୮ ତୁଳନାରେ ୧୬ ପ୍ରତିଶତ ଅଧିକ ଥିବାବେଳେ ନଭେମ୍ବର ୨୦୧୯ ତୁଳନାରେ ସାମାନ୍ୟ କମ । ନଭେମ୍ବର ୨୦୧୯ରେ ଏହା ୧୦୩,୪୯୨ କୋଟି ଓ ଡିସେମ୍ବର ୨୦୧୮ରେ ୯୪,୭୨୬ କୋଟି ଟଙ୍କା ଥିଲା ।

କେନ୍ଦ୍ର ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ ଡିସେମ୍ବର ମାସରେ ଓଡ଼ିଶାରୁ ୨୩୮୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି । ଏହା ଡିସେମ୍ବର ୨୦୧୮ର ଜିଏସଟି ରାଜସ୍ୱ ୨୩୪୭ କୋଟି ତୁଳନାରେ ୨ ପ୍ରତିଶତ ଅଧିକ । ଦେଶର ଜିଏସଟି ରାଜସ୍ୱ ସଂଗ୍ରହ ଗତ ଅଗଷ୍ଟ ମାସଠାରୁ ୧ ଲକ୍ଷ କୋଟିରୁ କମ ରହିଆସିଥିଲା, କିନ୍ତୁ ନଭେମ୍ବର ମାସରେ ଏହା ପୁଣି ୧ ଲକ୍ଷ କୋଟି ଉପରକୁ ଯାଇଥିଲା । ଡିସେମ୍ବରରେ ପୁଣି ଥରେ ଏହା ୧ ଲକ୍ଷ କୋଟି ଛୁଇଁପାରିଛି ।

ଡିସେମ୍ବର ମାସରେ ସଂଗ୍ରହ ହୋଇଥିବା ୧୦୩,୧୮୪ କୋଟିରୁ କେନ୍ଦ୍ରୀୟ ଜିଏସଟି ଟଙ୍କା ୧୯,୯୬୨ କୋଟି, ରାଜ୍ୟ ଜିଏସଟି ଟଙ୍କା ୨୬,୭୯୨ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୪୮,୦୯୯ କୋଟି ଟଙ୍କା ଓ ସେସ ୮୩୩୧ କୋଟି ଟଙ୍କା ଅନ୍ତର୍ଭୁକ୍ତ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ଆଦାୟ ଲକ୍ଷ୍ୟ ୧୩.୭୧ ଲକ୍ଷ କୋଟି ରଖାଯାଇଛି । ଜିଏସଟି ବ୍ୟବସ୍ଥାକୁ ସରଳ କରିବାକୁ ଡିସେମ୍ବର ମାସରେ ଜିଏସଟି ପରିଷଦ କେତେକ ପଦକ୍ଷେପ ନେଇଥିଲା ।

ସବୁଠୁ ବଡ କଥା ହେଉଛି ନାଗାଲାଣ୍ଡରେ ଜିଏସଟି ରାଜସ୍ୱ ସଂଗ୍ରହ ୮୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୮ ଡିସେମ୍ବରରେ ନାଗାଲାଣ୍ଡରେ ୧୭ କୋଟି ଟଙ୍କା ଜିଏସଟି ବାବଦକୁ ସଂଗ୍ରହ କରାଯାଇଥିଲା । ୨୦୧୯ ଡିସେମ୍ବରରେ ଏହା ୩୧ କୋଟିକୁ ବୃଦ୍ଧି ପାଇଛି ।