ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର: ମହଙ୍ଗା ହେବ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ । ଜାଣନ୍ତୁ କେବେଠୁ ଲାଗୁ ହେବ ନୂଆ ନିୟମ

5,712

କନକ ବ୍ୟୁରୋ: ପୁଣି ଗାଡ଼ି ଚାଳକଙ୍କ ଚିନ୍ତା ବଢ଼ିବ । ଗାଡ଼ିଗୁଡ଼ିକ ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଏଣିକି ମହଙ୍ଗା ହେବ । ଗ୍ରାହକଙ୍କୁ ଏବେ ପୂର୍ବ ନିର୍ଧାରିତ ଦର ଉପରେ ୧୮ପ୍ରତିଶତ ଜିଏସ୍ଟି ଦେବାକୁ ପଡ଼ିବ। ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଏହି ନିୟମ ଲାଗୁ କରାଯିବ ସୂଚନା ମିଳିଛି । ଏନେଇ ପରିବହନ କମିସନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଟେଷ୍ଟିଂ ସେଣ୍ଟର୍ ଜିଏସଟି ପଞ୍ଜୀକୃତ ହୋଇନଥିବ, ସେମାନେ ପିୟୁସି ପ୍ରମାଣପତ୍ର ଦେଇପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ‘ବାହନ’ ପୋର୍ଟାଲରେ ସେମାନେ ଜିଏସଟି ପଞ୍ଜୀକରଣ ବାବଦରେ ସମସ୍ତ ତଥ୍ୟ ଅପଲୋଡ୍ କରିବେ। ଏହି ପ୍ରକ୍ରିୟା ଶେଷ ହୋଇଥିବା ସମ୍ପୃକ୍ତ ଆରଟିଓମାନେ ନିଶ୍ଚିତ ହେବା ପରେ ସେହି କେନ୍ଦ୍ରଗୁଡ଼ିକୁ ଅନୁମତି ପ୍ରଦାନ କରିବେ। ଆରଟିଓଙ୍କ ଅନୁମତି ପାଇବା ପରେ କେନ୍ଦ୍ରଗୁଡ଼ିକ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଯୋଗ୍ୟବିବେଚିତ ହେବେ।

ପୂର୍ବରୁ ଏନେଇ ସିଟି (ବାଣିଜ୍ୟ କର) ଓ ଜିଏସଟି ଯୁଗ୍ମ କମିସନର୍ ପରିବହନ ବିଭାଗକୁ ଚିଠି ଲେଖିଥିଲେ। ପିୟୁସି ପ୍ରଦାନ କରୁଥିବା କୌଣସି କେନ୍ଦ୍ର ଜିଏସଟି ପ୍ରଦାନ କରୁନଥିବା ଉଲ୍ଲେଖ କରି ଜିଏସ୍ଟି ବାଧ୍ୟତାମୂଳକ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶକୁ ଆଧାର କରି ପରିବହନ କମିସନର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ୧୮ ପ୍ରତିଶତ ଜିଏସଟି ଲାଗୁ ହେବା ପରେ ଦୁଇ ଓ ତିନିଚକିଆ ଯାନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୬୦ ଟଙ୍କା ଏବେ ବଢ଼ି ୭୦ ଟଙ୍କା ୮୦ ପଇସା ହୋଇଥିବା ବେଳେ ହାଲୁକା ଯାନ ପାଇଁ ଧାର୍ଯ୍ୟ ୧୦୦ ଟଙ୍କା ଏବେ ୧୧୮ଟଙ୍କା ହେବ। ସେହିପରି ଭାରୀଯାନ ପାଇଁ ଧାର୍ଯ୍ୟ ୧୫୦ ଟଙ୍କା ବଢ଼ି ୧୭୭ଟଙ୍କା ହେବ। ଗତବର୍ଷ ସେପ୍ଟେମ୍ବରରୁ ଏହି ପ୍ରମାଣପତ୍ର ପ୍ରତ୍ୟେକ ଗାଡ଼ି ପାଇଁ ବାଧ୍ୟତାମୂଳକ କରାଯାଇଛି । ଏହି ପ୍ରମାଣପତ୍ର ବୈଧ ନଥିଲେ ସଂଶୋଧିତ ମୋଟର ଯାନ ଆଇନ ବଳରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

Comments are closed.