ପଦ୍ମପୁରରେ ନିର୍ବାଚନ ପୂର୍ବରୁ ଜୋର ଧରିଲା ରେଡ୍ । ଆୟକର ବିଭାଗର ରେଡ୍ ପରେ, ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ଚଢାଉ ।

156

କନକ ବ୍ୟୁରୋ: ପଦ୍ମପୁରରେ ଆୟକର ବିଭାଗର ଚଢାଉ ପରେ, ଏବେ ବିଜେପି ନେତାଙ୍କ ଦୋକାନ ଉପରେ ହୋଇଛି ଜିଏସଟି ଚଢାଉ । ଟିକସ ଫାଙ୍କିବା ଅଭିଯୋଗରେ ପଦ୍ମପୁର ସହରର ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ଚଢାଉ କରିଛି । ଏକ ଲୁଗା ଦୋକାନରେ ଜିଏସଟି ବିଭାଗ ରେଡ୍ କରିଛି ବୋଲି ସୂଚନା ମିଳିଛି ।

ତେବେ ପଦ୍ମପୁର ଉପ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆୟକର ବିଭାଗ ସକ୍ରିୟ ହେବା ଏବଂ ରେଡ୍ କରିବା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ତେବେ ଆଜି ସକାଳୁ ଆୟକର ବିଭାଗ ପଦ୍ମପୁରର ବ୍ୟବସାୟୀଙ୍କ ଘର ଉପରେ ରେଡ୍ କରିଥିଲା । ଏକକାଳୀନ ୩ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା । ଆଉ ଏହାର କିଛି ଘଣ୍ଟା ପରେ ବିଜେପି ନେତାଙ୍କ ଦୋକାନ ଉପରେ ଜିଏସଟି ବିଭାଗ ତରଫରୁ ଚଢାଉ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପଦ୍ମପୁର ହନୁମାନପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଘରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ସେହିଭଳି ସାହୁପଡ଼ାରେ ମାନଭଞ୍ଜନ ସାହୁ ଓ ଶାସ୍ତ୍ରୀଛକରେ ଥିବା ଗଜୁ ଅଗ୍ରୱାଲଙ୍କ ଘରେ ଘରେ ଆୟକର ବିଭାଗ ରେଡ କରିଛି । ଆଇଟି ରେଡ ଚାଲିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । କଳାବଜାରୀ କରିଥିବା ଲୋକଙ୍କ ଘରେ ରେଡ ହେଉଛି ବୋଲି ବିଜେପି କହିଛନ୍ତି । ଅନ୍ୟପଟେ ଭୟଭୀତ କରିବାକୁ ରେଡ କରାଯାଉଛି ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ।