କନକ ବ୍ୟୁରୋ : ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଫର୍ଣ୍ଣିଚର ସୋ ରୁମ ଓ ଗୋଦାମରେ ଜିଏସଟି ବିଭାଗ ଚଢାଉ କରିଛି । ଏକକାଳୀନ ୧୧ଟି ଜିଲ୍ଲାରେ ରେଡ କରୁଛି ଟିମ୍ । ଫର୍ଣ୍ଣିଚର ଡିଲରଙ୍କ ୩୨ଟି ସୋ ରୁମ ଓ ଗୋଦାମରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ ଚାଲିଛି ।
ବାସୁଦେବ ଉଡ୍ସ, ପାତ୍ର ଏଜେନ୍ସି, ଚିରାଗ ଇଣ୍ଡଷ୍ଟ୍ରି ଓ ଫର୍ଣ୍ଣିଚର ଗୋଡାନରେ ରେଡ କରିଛି ଜିଏସଟି । ୧୩୬ଜଣ ଅଫିସର ଏହି ଚଢାଉରେ ସାମିଲ ଅଛନ୍ତି । କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ସମ୍ବଲପୁର, ବରଗଡ, ରାଉରକେଲା, ଭବାନୀପାଟଣା ଓ କଣ୍ଟାବାଞ୍ଝି ଆଦି ସ୍ଥାନରେ ରେଡ କରୁଛି ଜିଏସଟି ବିଭାଗ । ଜିଏସଟି ବିଭାଗର ଅଧିକାରୀ ଚଢାଉ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛନ୍ତି । ଜିଏସଟି ବିଭାଗର ହଠାତ୍ ଏଭଳି ଚଢାଉ ଦେଖି ଅନ୍ୟ ଫର୍ଣ୍ଣିଚର ସୋ ରୁମ ମାଲିକଙ୍କ ମନରେ ଛନକା ପଶିଛି ।
କଣ୍ଟାବାଞ୍ଜିର ୱାର୍ଡ ନଂ ୩ରେ ଥିବା ରାଜୀବ ଅଗ୍ରୱାଲଙ୍କ ଆରକେ ଟ୍ରେଡ଼ର୍ସର ପ୍ଲାଇଉଡ଼ ଦୋକାନ ଓ ଗୋଦାମରେ ଚଢ଼ାଉ ଚାଲିଛି । ସେହିପରି ରାଉରକେଲା ଉଦିତନଗର ସ୍ଥିତ ମୁଖ୍ୟମାର୍ଗରେ ଥିବା ଅଶୋକା ବ୍ରଦରସରେ ସିଟି ଜିଏସଟି ଟିମ ପକ୍ଷରୁ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି । ଏହି ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଫର୍ଣ୍ଣିଚର କିଣି ବିକ୍ରି କରୁଥିବା ବେଳେ ଏହାର ସଠିକ ଇନଭଏସ ଦେଉ ନଥିବା ଅଭିଯୋଗ ହେଉଛି ।