ଭେଣ୍ଟିଲେଟର, ଏନ-୯୫ ମାସ୍କ ଓ ସାନିଟାଇଜର ଭଳି ସାମଗ୍ରୀ ହୋଇପାରେ ଶସ୍ତା । ଏଭଳି ସାମଗ୍ରୀ ଉପରେ ଜିଏସଟି କମାଇବାକୁ ସରକାରଙ୍କୁ ପ୍ରସ୍ତାବ

180

କନକ ବ୍ୟୁରୋ : ଜିଏସଟି କାଉଁସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କରୋନା ମହାମାରୀ ବେଳେ ଅତ୍ୟାବାଶକୀୟ ସାମଗ୍ରୀ ଉପରେ ଜିଏସଟି ଦର କମାଇବାକୁ ନେଇ ନିଷ୍ପତ୍ତି ହୋଇପାରେ ।

କହିରଖୁ କି ମେ ୨୮ ତାରିଖରେ ଜିଏସଟି କାଉଁସିଲର ବୈଠକରେ ପିପିଇ କିଟ୍, ମାସ୍କ, ଟିକା ସହିତ କୋଭିଡ ପାଇଁ ବ୍ୟବହୃତ ସାମଗ୍ରୀ ଉପରେ ସୁବିଧା ଦେବାକୁ ଏକ ଗ୍ରୁପ ଅଫ୍ ମିନିଷ୍ଟର୍ସ ଗଠନ କରାଯାଇଥିଲା । ସେମାନେ ଏହା ଉପରେ ଅନୁଧ୍ୟାନ କରି ଜୁନ ୭ ତାରିଖରେ ରିପୋର୍ଟ ପ୍ରଦାନ କରିଛନ୍ତି ।

ଜିଏସଟି କାଉଁସିଲର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ମୁତାବକ ଶନିବାର ଦିନ ବୈଠକ ବସିବ । ଏହି ବୈଠକରେ ଗ୍ରୁପ ଅଫ୍ ମିନିଷ୍ଟର୍ସ ରିପୋର୍ଟ ଉପରେ ବିଚାର କରାଯିବ । ଅନ୍ୟପଟେ କିଛି ରାଜ୍ୟର ଅର୍ଥମନ୍ତ୍ରୀ କୋଭିଡ ମହାମାରୀ ସମ୍ବନ୍ଧୀୟ ସାମଗ୍ରୀ ଉପରେ ଜିଏସଟି କମ କରିବାକୁ ପୂର୍ବରୁ ଦାବି ଜଣାଇ ଆସିଛନ୍ତି । ଏହି ଦାବି ପ୍ରଥମେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଠାଇ ଥିବା ବେଳେ ଏବେ ବିଜେପି ଶାସିତ ଉତ୍ତରପ୍ରଦେଶ ସରକାରବି ଏଭଳି ଦାବିକୁ ସମର୍ଥନ କରିଛନ୍ତି ।

ଏହାକୁ ନଜରରେ ରଖି ଆଶା କରାଯାଉଛି କି ଜୁନ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଗ୍ରୁପ ଅଫ୍ ମିନିଷ୍ଟର୍ସ ରିପୋର୍ଟ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ଅନୁଧ୍ୟାନ କରି କୋଭିଡ୍ ସମ୍ବନ୍ଧୀୟ ସାମଗ୍ରୀ ଉପରେ ଅର୍ଥମନ୍ତ୍ରୀ ଜିଏସଟି ଦର କମ କରିପାରନ୍ତି ବୋଲି ଆଶା କରାଯାଉଛି ।