୭୧୨ କୋଟି ଟଙ୍କାର ଜିଏସିଟି ଠକେଇର କିଙ୍ଗପିନ୍ ଗିରଫ । ଦୀର୍ଘ ଦିନ ହେବ ଲୁଚି ବୁଲୁଥିଲା, ଶେଷରେ ସମ୍ବଲପୁରରୁ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଧରିଲା । 

263

କନକ ବ୍ୟୁରୋ : ଗିରଫ ହେଲା ଜିଏସଟି ଠକେଇର କିଙ୍ଗପିନ । ୭୧୨କୋଟି ଟଙ୍କାର ଜିଏସଟି ଠକେଇରେ ଗିରଫ ହୋଇଛନ୍ତି ରାଉରକେଲାର ବ୍ୟବସାୟୀ କଶ୍ମୀରା କୁମାର ଅଗ୍ରୱାଲ । ଜିଏସଟି କମିସନରଙ୍କ ନିର୍ଦ୍ଦେଶ ପରେ ଜିଏସଟି ଠକେଇର ମାଷ୍ଟରମାଇଣ୍ଡଙ୍କୁ ସମ୍ବଲପୁରରୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ ଅଥରିଟି ।  କଶ୍ମୀରା ଅଗ୍ରୱାଲଙ୍କ ଉପରେ ଜିଏସଟି କର୍ତ୍ତୃପକ୍ଷଙ୍କ ନଜର ରହିଥିଲା । ପୂର୍ବରୁ ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କଶ୍ମୀରା କୁମାର ଅଗ୍ରୱାଲ କିନ୍ତୁ ଫେରାର ରହିଥିଲେ । ଏହାରି ଭିତରେ କିନ୍ତୁ ସେ ରାଉରକେଲାରୁ ହରିୟାଣା ଓ ଟାଟାରୁ ସମ୍ବଲପୁର ବିଭିନ୍ନ ସ୍ଥାନକୁ ଲୁଚିଛପି ଚମ୍ପଟ ମାରୁଥିଲେ । ଶେଷରେ ଓଡିଶାରେ ଜିଏସଟି ଠକେଇର ଏହି କିଙ୍ଗପିନଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଂଟ ସ୍କ୍ୱାର୍ଡ ।

ପ୍ରାୟ ୧୨୯କୋଟିର ବୋଗସ ଟ୍ୟାକ୍ସ କାରବାର ହୋଇଥିବା ବି ଜଣାପଡିଛି । କିଛି ଭୂତ କମ୍ପାନୀ କରି କର ଫାଙ୍କିବାକୁ ଉଦ୍ୟମ କରାଯାଇଥିବା ଜଣା ପଡିଛି । ଜିଏସଟି କର୍ତ୍ତୃପକ୍ଷ ଏକାଧିକ ସ୍ଥାନରେ ରେଡ କରିଛନ୍ତି । ତଦନ୍ତରୁ ଜଣା ପଡିଛି ସ୍କୁଟି, ମୋଟର ସାଇକେଲ,କାର ଓ ଟ୍ରାକ୍ଟରରେ ଟନଟନ ମାଲ ପରିବହନ ହୋଇଥିବା ଦର୍ଶାଯାଇ ଜିଏସଟି ଫାଙ୍କିବାକୁ ଉଦ୍ୟମ ହୋଇଛି । ବ୍ୟାଙ୍କ ଦସ୍ତାବିଜ ଓ ଆଗ୍ରିମେଣ୍ଟ କାଗଜପତ୍ରକୁ ବି ହେରଫେର କରାଯାଇଥିବା ଜଣାପଡିଛି ।  ତଦନ୍ତ ବେଳେ କଶ୍ମୀରା ଅଗ୍ରୱାଲଙ୍କ ବିଭିନ୍ନ ବ୍ୟବସାୟିକ ସଂସ୍ଥା,ଅନେକ କୋଠାବାଡି,ବ୍ୟାଙ୍କ କାଗଜପତ୍ର, ଏଟିଏମ, ପାସବୁକ ସମେତ ଚେକବୁକକୁ ଜବତ କରିଛନ୍ତି ତଦନ୍ତକାରୀ ଟିମ ।