ବିମୁଦ୍ରାକରଣ ଓ ଜିଏସଟିର ପ୍ରଭାବ ! ଆସୋଚାମ’ର ଆକଳନ ବିବାହ ଖର୍ଚ୍ଚ ବଢିବ ପ୍ରାୟ ୧୫ ପ୍ରତିଶତ

39

କନକ ବ୍ୟୁରୋ: ବିମୁଦ୍ରାକରଣ ଏବଂ ଜିଏସଟି ବିବାହ ଋତୁକୁ ପ୍ରଭାବିତ କରିବ । ଲୋକମାନଙ୍କ ବିବାହ ଖର୍ଚ୍ଚ ୧୦-୧୫% ବଢ଼ିଯିବ ବୋଲି ଶିଳ୍ପ ସଂଘ ଆସୋଚାମ୍ ଆକଳନ କରିଛି ।

ପୂର୍ବରୁ ଟେଣ୍ଟ୍ ସେବା, ମିଠା ପାଇଁ ବୁକିଙ୍ଗ ଆଦି ଅନେକ କାମ ବିନା ବିଲରେ ହେଉଥିଲା । ଯେହେତୁ କୌଣସି ବିଲ୍ ପ୍ରସ୍ତୁତ ହେଉନଥିଲା, ତେଣୁ ସେଗୁଡ଼ିକ ଉପରେ ଟିକସ ମଧ୍ୟ ଗଣିବାକୁ ପଡ଼ୁନଥିଲା । ଏବେ ବିବାହ ପାଇଁ ହଲ୍ ବୁକିଙ୍ଗଠାରୁ ଆରମ୍ଭ କରି ଟେଣ୍ଟ୍ ବୁକିଙ୍ଗ କରିବା ଏବଂ ଫଟୋ ଉଠାଇବା ଏବଂ ଭିଡିଓ ସୁଟିଂ ଆଦି ଉପରେ ଜିଏସଟି ଲଗାଯାଇଛି । ସପିଙ୍ଗ, ଟେଣ୍ଟ୍ ବୁକିଙ୍ଗ ଏବଂ ଖାଦ୍ୟ ପଦାର୍ଥ ସେବା ଉପରେ ୧୮-୨୮%ର ଜିଏସଟି ଲାଗୁ କରାଯାଇଛି । ଏହା ଲୋକମାନଙ୍କ ପକେଟ୍ ଉପରେ ମାଡ଼ କରିବ । ପୂର୍ବରୁ ଯେତିକି ଟଙ୍କାରେ ବିବାହର ସବୁ କାମ ହୋଇଯାଉଥିଲା, ଆଗାମୀ ଦିନରେ ସେତିକି ଟଙ୍କା କମ୍ ପଡ଼ିବ। ବିବାହ ପାଇଁ ଦରକାର ଅନେକ ପ୍ରକାର ସାମଗ୍ରୀ ଏବଂ ସେବା ପାଇଁ ଲୋକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।

ଭାରତରେ ବିବାହକୁ ଏକ ଶିଳ୍ପ ଭାବେ ପରିଗଣିତ କରାଯାଉଛି । ପ୍ରତିବର୍ଷ ବିବାହରେ ୧ ଲକ୍ଷ କୋଟି ଟଙ୍କା ପାଖାପାଖି ଲୋକମାନେ ଖର୍ଚ୍ଚ କରୁଛନ୍ତି । ବିବାହ ଶିଳ୍ପର ବାର୍ଷିକ ଅଭିବୃଦ୍ଧି ହାର ୨୫-୩୦% ରହିଛି । ଭାରତରେ ଏକ ବିବାହ କାର୍ଯ୍ୟକ୍ରମ କରିବାକୁ ହେଲେ ୩ ଲକ୍ଷ ଟଙ୍କାରୁ ଆରମ୍ଭ କରି ୮ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଗରିବ ଲୋକମାନେ ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି । ସ୍ୱଚ୍ଛଳ ବର୍ଗର ଲୋକମାନେ ବିବାହ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜୋତାଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁ ଥିରେ ଜିଏସଟି ଲଗାଯାଇଛି । ପଞ୍ଚ ତାରକା ହୋଟେଲ ବୁକିଙ୍ଗ ଉପରେ ୨୮% ଜିଏସଟି ଲାଗୁ କରାଯାଇଛି ।ବିବାହ ସମୟରେ ଲୋକମାନେ ରାସନ ସାମଗ୍ରୀଠାରୁ ଆରମ୍ଭ କରି ଶାଢ଼ୀ ଆଦି ବହୁତ କିଛି ଜିନିଷ ବାକିରେ ଆଣିଥାନ୍ତି । କିନ୍ତୁ ଜିଏସଟି ଲାଗୁ ହେବା ପରେ ବ୍ୟବସାୟୀମାନେ ବାକି ଦେବା ପାଇଁ ଅମଙ୍ଗ ହେଉଛନ୍ତି । ଏହା କମ୍ ଟଙ୍କା ପାଖରେ ଥାଇ ବିବାହ କାର୍ଯ୍ୟକ୍ରମ କରିବାକୁ ଯାଉଥିବା ଲୋକମାନଙ୍କୁ ପ୍ରଭାବିତ କରିବ ।

ବିମୁଦ୍ରାକରଣ ଏବଂ ଜିଏସଟି ଯୋଗୁଁ ଡେଷ୍ଟିନେସନ୍ ୱେଡିଂ ଯଥା ସମୂଦ୍ର କୂଳରେ ବିବାହ, ରାଜ ପ୍ରାସାଦରେ ବିବାହ ଏବଂ ରୋମାଞ୍ଚକ ସ୍ଥାନରେ ବିବାହ ଭଳି କାର୍ଯ୍ୟ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ଆସୋଚାମ୍ ପକ୍ଷରୁ କୁହାଯାଇଛି । ସମୁଦ୍ର କୂଳ ବିବାହ ପାଇଁ ଲୋକମାନେ ଗୋଆ ଏବଂ ରାଜ ପ୍ରସାଦ ବିବାହ ପାଇଁ ରାଜସ୍ଥାନକୁ ପସନ୍ଦ କରୁଛନ୍ତି । ବିଦେଶରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଇଚ୍ଛା ରଖିଥିବା ଲୋକମାନଙ୍କ ପ୍ରଥମ ପସନ୍ଦ ହେଉଛି ବାଲି ଏବଂ ଦୁବାଇ ।