ଶସ୍ତା ହେବ ଜୀବନ ରକ୍ଷାକାରୀ ଔଷଧ, ୨୦୨୧ ଶେଷ ଯାଏଁ ବିଭିନ୍ନ ମେଡିସିନ ଉପରେ ମିଳିବ ରିହାତି? ଜାଣନ୍ତୁ କେଉଁ ମେଡିସିନ ଉପରେ ମିଳିବ ରିହାତି?

317

କନକ ବ୍ୟୁରୋ : ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା । କୋଭିଡ-୧୯ରେ ବ୍ୟବହୃତ ହେଉଥିବା ମେଡିସିନ ଉପରେ ଜିଏସଟି ରିହାତି ଅବଧି ବଢାଇଛନ୍ତି  ସରକାର । ଡିସେମ୍ବର ୩୧ ଯାଏଁ ଏହି ରିହାତି ଅବଧି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାଦ୍ୱାରା କୋଭିଡ-୧୯ରେ ଆବଶ୍ୟକ ହେଉଥିବା ମେଡିସିନ କମ ମୂଲ୍ୟରେ ମିଳିବ । ଏହାସହ ରେମଡେସିଭିର, ହେପାରିନ ଭଳି ମେଡିସନ ଉପରେ ୫ ପ୍ରତିଶତ ଜିଏସଟି ରହିବ । ଆଉ ଏହି ରିହାତି ଅବଧି ୩୧ ଡିସେମ୍ବର ଯାଏଁ ରହିବ । ସେହିଭଳି ଟୋସିଲଜୁମାବ, ଏମ୍ଫୋଟେରିସିନ-ବି ଜିଏସଟି ମୁକ୍ତ ରହିବ ।

ସବୁଠୁ ବଡ କଥା ହେଲା ଜୀବନ ରକ୍ଷାକାରୀ ମେଡିସନ ଉପରେ ମଧ୍ୟ ଜିଏସଟି ହ୍ରାସ କରାଯାଇଛି । ଯେପରିକି କ୍ୟାନସର ମେଡିସିନ ଉପରେ ଜିଏସଟି ଦର ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରାଯାଇଛି  । ଏହାବାଦ୍ ବିଦେଶରୁ ଆମଦାନୀ ହେଉଥିବା ଜୋଲୋଜେନ୍ସମା ଏବଂ ଭିଲଟେଟସୋ ଭଳି ମହଙ୍ଗା ଔଷଧକୁ ଜିଏସଟି ମୁକ୍ତ କରିଛନ୍ତି ସରକାର ।  ତେବେ ମେଡିକାଲ ଉପକରଣ ଉପରେ ଏହି ରିହାତି ସୁବିଧା ମିଳିବ ନାହିଁ ।