କମିବନି ତେଲ ଦର ! ଜିଏସଟି ପରିସରକୁ ଏବେ ଆସିବ ନାହିଁ ପେଟ୍ରୋଲ, ଡିଜେଲ

ରାଜ୍ୟ ସରକାରଙ୍କ ମତାମତ ଲୋଡିଲେ କେନ୍ଦ୍ର ଅର୍ଥମନ୍ତ୍ରୀ; ସେପଟେ ଡିସେମ୍ବର ୩୧ ଯାଏଁ ବଢିଲା କରୋନା ଔଷଧରେ ଟିକସ ରିହାତି

271

କନକ ବ୍ୟୁରୋ : ଜିଏସଟି ପରିସରକୁ ଏବେ ଆସିବ ନାହିଁ ଡିଜେଲ, ପେଟ୍ରୋଲ । ଜିଏସଟି ପରିଷଦର ୪୫ ତମ ବୈଠକ ପରେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ସମସ୍ତଙ୍କ ନଜର ରହିଥିଲା, ଜିଏସଟି ବୈଠକ ଉପରେ । ଯଦି ଜିଏସଟି ପରିସରକୁ ପେଟ୍ରୋଲ, ଡିଜେଲ ଆସିଥାନ୍ତା, ତେବେ ଦର ହ୍ରାସ ପାଇଥାନ୍ତା । ତେବେ ବର୍ତମାନ ଜିଏସଟି ପରିସରକୁ ପେଟ୍ରୋଲ ଆସିନାହିଁ ବୋଲି କହିଛନ୍ତି ସୀତାରମଣ । ଏ ନେଇ ରାଜ୍ୟଗୁଡିକର ମତ ଲୋଡିଛନ୍ତି କେନ୍ଦ୍ର ସରକାର ।

ସେପଟେ ଡିସେମ୍ବର ୩୧ ପର୍ଯ୍ୟନ୍ତ କରୋନା ସମ୍ପର୍କୀତ ଔଷଧରେ ଟିକସ ରିହାତି ଦେବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଥିଲା । ସେହିପରି ୭ଟି ଜୀବନ ରକ୍ଷାକାରୀ ଔଷଧରେ ମଧ୍ୟ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜିଏସଟି କୋହଳ କରାଯାଇଛି । ଆମ୍ଫୋଟେରିସିନ୍-ବି, ତୋସିଲିଜୁମାବ ରେ ଆଦୌ ଜିଏସଟି ପଡିବ ନାହିଁ । ରେମଡେସିଭିର୍ ଓ ହେପାରିନ୍ ରେ ମାତ୍ର ୫ ପ୍ରତିଶତ ଟିକସ ପଡିବ । ସେହିପରି ବାଓ ଡିଜେଲରେ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିିଣତକୁ କମାଇ ଦିଆଯାଇଛି ।

ପେନ୍ ଉପରେ ୧୮ ପ୍ରତିଶତ ଓ ସୌରଶକ୍ତିରେ ବ୍ୟବହୃତ ହୋଉଥିବା ଉପକରଣ ପାଇଁ ୧୨ ପ୍ରତିଶତ ଟିକସ ଲାଗିଛି । ୨୦ ମାସ ପରେ ପ୍ରଥମ ଥର ପାଇଁ ଭର୍ଚୁଆଲ ମୋଡରେ ନହୋଇ ସଦସ୍ୟମାନଙ୍କ ଉପସ୍ଥିତିରେ ଜିଏସଟି ପରିଷଦର ବୈଠକ ହୋଇଥିଲା । ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀ ବୈଠକରେ ସାମିଲ ହୋଇଥିଲେ ।