ଜିଏସଟିକୁ ପୂରିଲା ୫ ବର୍ଷ: ଟିକସଦାତାଙ୍କୁ ବହୁ ସଂଖ୍ୟାର ଟିକସରୁ ମୁକ୍ତି ଦେବା ଥିଲା ଏହାର ମୂଳ ଉଦ୍ଦେଶ୍ୟ

115

କନକ ବ୍ୟୁରୋ: ଜିଏସଟି ବା ସାମଗ୍ରୀ ଓ ସେବା ଟିକସକୁ ପୁରିଲା ୫ ବର୍ଷ । ଭାରତର ପରୋକ୍ଷ ଟିକସ କ୍ଷେତ୍ରର ସବୁଠାରୁ ବଡ଼ ସଂସ୍କାର ସାମଗ୍ରୀ ଓ ସେବା ଟିକସ ୫ ବର୍ଷର ଯାତ୍ରା ପୂରଣ କରିଛି । ସେବା କର, ବିକ୍ରି କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସ୍ କୁ ଉଚ୍ଛେଦ କରି ସେହି ସ୍ଥାନରେ ଜିଏସଟି ଲାଗୁ କରାଯାଇଥିଲା । ଟିକସଦାତାଙ୍କୁ ବହୁ ସଂଖ୍ୟାର ଟିକସରୁ ମୁକ୍ତି ଦେଇ ଏକ ସରଳ ବ୍ୟବସ୍ଥା ପ୍ରଦାନ କରିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ଉପା ସରକାରଙ୍କ ସମୟରେ ପରିକଳ୍ପନା କରାଯାଇଥିବା ଏହି ସଂସ୍କାରକୁ ୨୦୧୭ ଜୁନ୍ ୩୦-ଜୁଲାଇ ୧ ମଧ୍ୟରାତ୍ରରେ ସଂସଦର ସେଂଟ୍ରାଲ ହଲରେ ଲାଗୁ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁନ ଜେଟଲୀ ଶୁଭାରମ୍ଭ କରିଥିଲେ । ୨୦୧୭ ଜୁଲାଇ ୧ ପରଠାରୁ ଜିଏସଟି ପରିଷଦର ୪୭ ଟି ବୈଠକ ଅନୁଷ୍ଠିତ ହୋଇ ସାରିଛି । ଭାରତରେ ଚାରି ଥାକିଆ ଜିଏସଟି ଲାଗୁ କରାଯାଇଛି । ସେହି ଚାରି ଟିକସ ସ୍ଲାବ ହେଉଛି ୫%, ୧୨% ,୧୮% ଓ ୨୮% । ଏହି ସଂସ୍କାର ଲାଗୁ ବେଳେ ସରକାର କହିଥିଲେ , ମୋଟ ଘରୋଇ ଉତ୍ପାଦ ବା ଜିଡ଼ିପିରେ ଏହା ୨ ପ୍ରତିଶତ ବୃଦ୍ଧି କରିବାରେ ସହାୟକ ହେବ । ହେଲେ ସେହି ଲକ୍ଷ କେତେଦୂର ସଫଳ ହୋଇଛି ଏବେ ତାହା ବିତର୍କର ବିଷୟ ପାଲଟିଛି । ତେବେ ସବୁଠାରୁ ଦୁôଃଖର ବିଷୟ ଜିଏସଟି ବିଷୟରେ ଏବେ ବି ଲୋକ ଅବୁଝା ଓ ଦ୍ୱନ୍ଦରେ ।