ପୁଣି ଏପ୍ରିଲ ମାସରେ ରେକର୍ଡ ଛୁଇଁଲା ଜିଏସଟି ଆଦାୟ । ଏହା ଭାରତୀୟ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି ବୋଲି କହିଲା ଅର୍ଥ ମନ୍ତ୍ରଣାଳୟ
କନକ ବ୍ୟୁରୋ : କରୋନାର ୨ୟ ଲହର ସତ୍ତ୍ବେ ଗତ ଏପ୍ରିଲ ମାସରେ ଦେଶରେ ରେକର୍ଡ ଜିଏସଟି ସଂଗ୍ରହ ହେବା ପରେ ତାହା ଦେଶରେ ଅର୍ଥନୀତିର ଶକ୍ତିକୁ ଦର୍ଶାଉଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାବି କରିଛି । ମହମାରୀର ପ୍ରଭାବ ଦେଶର ଅର୍ଥନୀତିର ସୁଧାରକୁ ଅଟକାଇପାରିନାହିଁ ବୋଲି ମନ୍ତ୍ରାଳୟ କହିଛି । ଏପ୍ରିଲ ମାସରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ ରହିଛି । ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ଅର୍ଥାତ ଏପ୍ରିଲ ୨୦୨୦ରେ ଦେଶର ଜିଏସଟି ସଂଗ୍ରହ ହ୍ରାସ ପାଇଥିଲା । କିନ୍ତୁ ଏଥର ୨ୟ ଲହର ଆସିବା ସତ୍ତ୍ବେ ଦେଶରେ ରେକର୍ଡ ପରିମାଣରେ ଜିଏସଟି ସଂଗ୍ରହ ହୋଇଛି । ମହାରାଷ୍ଟ୍ର, ଓଡ଼ିଶା, ଗୁଜୁରାଟ,ହିମାଚଳ ପ୍ରଦେଶ ପରି ରାଜ୍ୟ ରେକର୍ଡ ଜିଏସଟି ସଂଗ୍ରହ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କେତେକ ବିଶେଷଜ୍ଞ କହିଛନ୍ତି ଯ଼େ ମାର୍ଚ୍ଚ ମାସରେ ହୋଇଥିବା ବ୍ୟବସାୟିକ କାରବାର ଜିଏସଟି ରିଟର୍ଣ୍ଣ ଏପ୍ରିଲ ମାସରେ ଫାଇଲ କରାଯ଼ାଇଥାଏ । ଗତ ମାର୍ଚ୍ଚରେ ଦେଶରେ କରୋନାର ୨ୟ ଲହର ଆରମ୍ଭ ହେଉଥିଲା । ଏଣୁ କରୋନା ଦ୍ବାରା ଅର୍ଥନୀତି କେତେ ପ୍ରଭାବିତ ହୋଇଛି ତାହା ମେ ମାସର ଜିଏସଟି ଆଦାୟରେ ଜଣାପଡ଼ିବ ।
ଏପ୍ରିଲ ମାସରେ ଦେଶର ଜିଏସଟି ରାଜସ୍ୱ ଏକ ନୂଆ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟି ଛୁଇଁଛି । ଗତ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟିର ଜିଏସଟି ରାଜସ୍ବକୁ ଏହା ଟପିଯ଼ାଇଛି । ଗତ ୨୦୧୭ ଜୁଲାଇରେ ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ହେଉଛି ସର୍ବାଧିକ ମାସିକ ଜିଏସଟି ସଂଗ୍ରହ ।