ଜିଏସଟିରୁ ଆଦାୟ ହେଲା କେତେ ? ଜାଣନ୍ତୁ ପୁରା ତଥ୍ୟ ।

34

ପୂର୍ବବର୍ଷ ଜୁଲାଇ ମାସରେ ଦେଶରେ ଜିଏସଟି ଲାଗୁ କରାଯାଇଥିଲା । ସେବେଠାରୁ ଆରମ୍ଭ କରି ଚଳିତ ମାସ ଭିତରେ ସରକାର ଜିଏସଟିରୁ ୭.୪୧ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ସୂଚନା ଅନୁଯାୟୀ, ଜିଏସଟି ଲାଗୁ ହେବା ପରେ ଏଥିରୁ ଗତ ୮ ମାସ ମଧ୍ୟରେ ପ୍ରତି ମାସ ହିସାବରେ ୮୯,୮୮୫ କୋଟି ଟଙ୍କା କଲେକସନ ହୋଇଥିଲା ।

ଅର୍ଥ ମନ୍ତ୍ରାଳୟ ଟ୍ୱିଟ ଜରିଆରେ ଜିଏସଟି ଟ୍ୟାକ୍ସରୁ କଲେକସନ ହୋଇଥିବା ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ମନ୍ତ୍ରାଳୟଙ୍କ କହିବା ଅନୁଯାୟୀ, ଗତବର୍ଷ ଅଗଷ୍ଟ ମାସ ଠାରୁ ଆରମ୍ଭ କରି ଚଳିତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୭.୧୯ ଲକ୍ଷ କୋଟି ଟଙ୍କାର ଜିଏସଟି କଲେକସନ କରାଯାଇଛି ।

ଅର୍ଥ ମନ୍ତ୍ରାଳୟଙ୍କ କହିବା ଅନୁସାରେ ଗତ ବର୍ଷ ୨୦୧୭-୧୮ ଭିତରେ ରାଜ୍ୟ ଜିଏସଟି ୨.୯୧ ଲକ୍ଷ କୋଟି ଟଙ୍କା କଲେକସନ ହୋଇଥିଲା । ଏଥି ମଧ୍ୟରୁ ଇଣ୍ଟିଗ୍ରେଟେଡ ଜିଏସଟି ମଧ୍ୟ ସାମିଲ ରହିଛି । କେବଳ ସେତିକି ନୁହେଁ ଗତ ୮ମାସ ମଧ୍ୟରେ ରାଜ୍ୟର କ୍ଷତିପୂରଣ ୪୧,୧୪୭ କୋଟି ଟଙ୍କା ରହିଛି । ଅର୍ଥ ମନ୍ତ୍ରାଳୟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟ ମଧ୍ୟରେ ଆୟକୁ ନେଇ ଯେଉଁ ପାର୍ଥକ୍ୟ ରହିଥଲା , ଗତ ୮ ମାସ ମଧ୍ୟରେ ତାହା ଖୁବ କମ ହୋଇଯାଇଛି । ତେବେ ସୂଚନା ଅନୁଯାୟୀ ଗତ ବର୍ଷ ରାଜ୍ୟରେ ହୋଇଥିବା ଆୟ ୧୭ ପ୍ରତିଶତ ପାଖାପାଖି ରହିଛି ।

ଗତ ଅଗଷ୍ଟ ଠାରୁ ଚଳିତ ମାର୍ଚ୍ଚ ପର୍ଯ୍ୟନ୍ତ ଜିଏସଟି କଲେକସନ

କେନ୍ଦ୍ରୀୟ ଜିଏସଟି – ୧.୧୯ ଲକ୍ଷ କୋଟି । ରାଜ୍ୟ ଜିଏସଟି – ୧.୭୨ ଲକ୍ଷ କୋଟି । ଇଣ୍ଟିଗ୍ରେଟ ଜିଏସଟି – ୩.୬୬ ଲକ୍ଷ କୋଟି । ଏବଂ ଆଇଜିଏସଟିର ଷ୍ଟେଟମେଣ୍ଟକୁ ମିଶାଇ ଗତ ବର୍ଷ ୨୦୧୭-୧୮ ଭିତରେ ଏସ ଜିଏସଟି କଲେକସନ ୨.୯୧ ଲକ୍ଷ କୋଟି ଟଙ୍କା ରହିଛି ।