କନକ ବ୍ୟୁରୋ : ଦେଶରେ ବଢୁଥିବ ଖର୍ଚ୍ଚ ଓ ନିଅଣ୍ଟିଆ ରାଜକୋଷକୁ ନେଇ ଚିନ୍ତାରେ ଥିବା ସରକାରଙ୍କ ପାଇଁ ଭଲ ଖବର ଆସିଛି । ଚଳିତ ଅକ୍ଟୋବର ମାସରେ ଦ୍ୱିତୀୟଥର ପାଇଁ ଜିଏସଟି ଆଦାୟ ୧.୫ ଲକ୍ଷ କୋଟିରୁ ଅଧିକ ହୋଇଥିବା ସୂଚନା ମିଳିଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ଚଳିତ ଅକ୍ଟୋବର ମାସରେ ଦ୍ୱିତୀୟ ଥର ପାଇଁ ଜିଏସଟି ଆଦାୟ ସର୍ବାଧିକ ରହିଛି । ଏହାର କାରଣ ଭାବେ ପାର୍ବଣ ଋତୁରେ ଲୋକମାନଙ୍କ କିଣାବିକା ବୃଦ୍ଧି ବୋଲି କୁହାଯାଇଛି ।

Advertisment

ଅର୍ଥମନ୍ତ୍ରଣାଳୟର ସୂଚନା ମୁତାବକ ୨୦୨୨ ଅକ୍ଟୋବର ମାସରେ ମୋଟ ୧,୫୧,୭୧୮ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ବି ୧.୫୦ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ମନ୍ତ୍ରଣାଳୟର ରିପୋର୍ଟ ମୁତାବକ କେନ୍ଦ୍ରୀୟ ଜିଏସଟି ଭାବେ ୨୬,୦୩୯ କୋଟି ଟଙ୍କା, ରାଜ୍ୟ ଜିଏସଟି ଆକାରେ ୩୩,୩୯୬ କୋଟି ଟଙ୍କା ମିଳିଛି । ଏହା ବ୍ୟତୀତ ଏକିକୃତ ଜିଏସଟି ଭାବେ ୮୧,୭୭୮ କୋଟି ଟଙ୍କା ଓ ଆମଦାନୀ ଶ୍ଳୁକ ଭାବେ ୩୭,୨୯୭ କୋଟି ଟଙ୍କା ଆଦାୟ ହୋଇଛି । ଏହାସହ ସେସ୍ ଆକାରରେ ୧୦,୫୦୫ କୋଟି ଟଙ୍କା ଆଦାୟ ହୋଇଛି ।