ଆଉ ପାଦେ ଆଗେଇଲା ଜିଏସଟି : ଲୋକସଭାରେ ୪ ଟି ବିଲ୍ ପାସ୍

50

Captureକନକ ବ୍ୟୁରୋ : ଲୋକସଭାରେ ସାମଗ୍ରୀ ଓ ସେବା ଟିକସ ବିଲ୍, ଜିଏସଟି ଅନୁମୋଦିତ ହୋଇଛି । ଦୀର୍ଘ ୮ ଘଂଟା ଧରି ଆଲୋଚନା ପରେ ୪ ଟି ବିଲ୍ ବାଚନିକ ଭୋଟର ବିଜୟୀ ହୋଇଛି । ଜିଏସଟି ଲାଗୁ ହେବା ପରେ ରାଜସ୍ୱ ହାନି ପାଇଁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ୫ ବର୍ଷ ଯାଏଁ କ୍ଷତିପୂରଣ ପ୍ରଦାନ କରିବେ । ଏହି କ୍ଷତିପୂରଣ ରାଶି ସେସ୍ ଲାଗୁ କରି ହାସଲ କରାଯିବ । ଜିଏସଟି ଲାଗୁ ହେବା ପରେ ପ୍ରବେଶ ଶୁଳ୍କ ଏବଂ ଭାଟ୍ ଭଳି ଡଜନେରୁ ଅଧିକ ପରୋକ୍ଷ ଟିକସ ଉଚ୍ଛେଦ ହେବ ।

ଲୋକସଭାରେ ଜିଏସଟି ବିଲ୍ ପାସ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ବଧେଇ ଜଣାଇଛନ୍ତି । ସେ ନିଜ ଟ୍ୱିଟରରେ ଲେଖିଛନ୍ତି, ନୂଆ ବର୍ଷ , ନୂଆ ନିୟମ, ନୂଆ ଭାରତ । ସେହିପରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଏହା କାର୍ଯ୍ୟକାରୀ ହେବାପରେ ଦରଦାମ୍ ବଢିବନି ବରଂ କମିବ । ପ୍ରବେଶ ଶୁଳ୍କ ଉଚ୍ଛେଦ ହେବ । ଅନ୍ୟସବୁ ପରୋକ୍ଷ ଟିକସ ହଟିଯିବା ପରେ ଦ୍ରବ୍ୟଗୁଡିକ ସାମାନ୍ୟ ଶସ୍ତା ହେବ ।

ଜିଏସଟି ଲାଗୁ ହେବା ପରେ ଭାରତ ଗୋଟିଏ ଅର୍ଥନୈତିକ ଅଂଚଳରେ ପରିଣତ ହେବ । ବିଭିନ୍ନ ରାଜ୍ୟରେ ରହିଥିବା ବିଭିନ୍ନ ପ୍ରକାରର ଟିକସ ବ୍ୟବସ୍ଥାର ଅବସାନ ହେବ । ଟ୍ରକ୍ ଗୁଡିକ ଗୋଟିଏ ରାଜ୍ୟର ସୀମାରେଖାରେ ଦିନ ଦିନ ଧରି ଆଉ ଠିଆ ହେବାକୁ ପଡିବନି । ଜିଏସଟି ଲାଗୁ ହେବାର ବର୍ଷକ ଭିତରେ ରିଅଲ୍ ଇଷ୍ଟେଟ୍ କାରବାରକୁ ଏଥିରେ ସାମିଲ ବି କରାଯିବ ।