ଜିଆରଏସ୍ ସଂଘ ଦୁଇ ଫାଳ ! ସଭାପତି କହୁଛନ୍ତି, ଆନ୍ଦୋଳନ ସ୍ଥଗିତ। ଉପସଭାପତି କହିଲେ, ସଂପୂର୍ଣ୍ଣ ଦାବି ପୁରଣ ନହେବା ଯାଏଁ ବଳବତର ରହିବ ଆନ୍ଦୋଳନ

25

କନକ ବ୍ୟୁରୋ: ଅଙ୍ଗନବାଡି କର୍ମଚାରୀଙ୍କ ଭଳି ଗ୍ରାମ ରୋଜଗାର ସେବକ ସଂଘ ବି ଦୁଇଫାଳ । ପଂଚାୟତି ରାଜ ମନ୍ତ୍ରୀ, ପ୍ରଦୀପ ମହାରଥୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିବା ନେଇ ସଂଘର ସଭାପତି ସୂଚନା ଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଜିଆର୍ଏସ୍ କର୍ମୀ । ଦାବି ସଂପୂର୍ଣ୍ଣ ଭାବରେ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କର୍ମୀମାନେ ଅଡି ବସିଛନ୍ତି ।

୯ ହଜାର ଗ୍ରେଡ୍ ପେ ଏବଂ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ମାସ ୧୮ ତାରିଖରୁ ଜିଆରଏସ୍ ସଂଘ ଆନ୍ଦୋଳନ କରୁଥିବା ବେଳେ ଆଜି ରାଜ୍ୟ ସରକାର ସେମାନଙ୍କ ଦରମାକୁ ୨ ହଜାର ବଢ଼ାଇଛନ୍ତି । ଏହି ଘଟଣା ପରେ ସଂଘର ସଭାପତି ବଦ୍ରି ନାରାୟଣ ମହାନ୍ତି, ମନ୍ତ୍ରୀଙ୍କ ସାକ୍ଷାତ କରି, ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ଘୋଷଣା କରିଥିଲେ । ଅନ୍ୟପଟେ ଏହାକୁ ବିରୋଧ କରି ବିଜେପି କାର୍ଯ୍ୟାଳୟ ନିକଟରେ ଆନ୍ଦୋଳନ ଜାରି ରଖିଛନ୍ତି । ଯାହାକୁ ନେଇ ପୁଣି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି । ଜିଆରଏସ୍ କର୍ମୀଙ୍କୁ ନେଇ ରାଜନୀତି କରାଯାଉଛି ବୋଲି ଏବେ ଧାରଣା ସୃଷ୍ଟି ହୋଇଛି । କାରଣ ପୂର୍ବରୁ ଅଙ୍ଗନୱାଡି କର୍ମୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ।