ବଢ଼ୁଛି ଛୋଟ ପିଲାଙ୍କ କରୋନା ସଂକ୍ରମଣ ସଂଖ୍ୟା । ବଢ଼ିଚାଲିଛି କମ୍ ବୟସ୍କଙ୍କ ପଜିଟିଭ୍ ହାର, ୭ଦିନରେ ଚିହ୍ନଟ ହେଲେଣି ୭୯୮ ଜଣ ପିଲା, ଚିନ୍ତା ବଢ଼ାଇଲା ଭୂତାଣୁର ନୂଆ ରୂପ ।

606

କନକ ବ୍ୟୁରୋ : ବଢୁଛି ପିଲାଙ୍କ ଠାରେ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୮ ବର୍ଷରୁ କମ୍ ଆଉ ୧୧୦ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି । ମୋଟ୍ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାର ୧୭.୨୪ ପ୍ରତିଶତ ହେଉଛନ୍ତି ପିଲା । ଖୋର୍ଦ୍ଧାରୁ ଜଣେ ୨ ମାସର ଶିଶୁ କନ୍ୟାର କରୋନାରେ ମୃତ୍ୟୁ ହୋଇଥିବା ଖବର ମଧ୍ୟ ଚିନ୍ତା ବଢ଼ାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୮୪ ହଜାର ୬୫୮ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରାୟ ୫ ପ୍ରତିଶତ ପିଲାଙ୍କୁ ହସ୍ପିଟାଲ ଯିବାକୁ ପଡିଛି । ୮୦ରୁ ୮୫ ପ୍ରତିଶତ ପିଲା ଘରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି । ପିଲାଙ୍କ ଠାରେ ସଂକ୍ରମଣ ବଢ଼ୁଥିବା ବେଳେ ଭୂତାଣୁର ନୂଆ ମ୍ୟୁଣ୍ଟାଟ ସାର୍ସ ସି.୧.୨ ମଧ୍ୟ ଭୟ ବଢ଼ାଇଲାଣି ।

ଗତ ସାତ ଦିନରେ ରାଜ୍ୟରେ କେତେ ପିଲାଙ୍କୁ କରୋନା ହୋଇଛି, ଏହା ଉପରେ ନଜର ପକାନ୍ତୁ । ଅଗଷ୍ଟ ୩୧ରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭.୨୪ ପ୍ରତିଶତ ପିଲା ସଂକ୍ରମିତ ହୋଇଛନ୍ତି । ୩୦ ତାରିଖରେ ୧୫.୯୨ ପ୍ରତିଶତ ପିଲା ସଂକ୍ରମିତ ହୋଇଥିଲେ । ୨୯ ତାରିଖରେ ୧୪.୦୧ ପ୍ରତିଶତ ପିଲାଙ୍କୁ କରୋନା ହୋଇଥିଲା । ସାତ ଦିନ ମଧ୍ୟରେ ରାଜ୍ୟରେ ୫,୪୨୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧୮ ବର୍ଷରୁ କମ ୭୯୮ ଜଣ ପିଲା ପଜିଟିଭ୍ ହୋଇଛନ୍ତି । କିଛି ଦିନ ହେଲା ପିଲାଙ୍କ ଠାରେ ସଂକ୍ରମଣ ବଢ଼ିଯାଇଛି ।

ଓଡ଼ିଶା କରୋନା ମିଟର
ପିଲାଙ୍କୁ କରୋନା
ଦିନ              ଆକ୍ରାନ୍ତ     ପ୍ରତିଶତ
ଅଗଷ୍ଟ ୩୧ – ୧୧୦ – ୧୭.୨୪%
ଅଗଷ୍ଟ ୩୦ – ୯୭ – ୧୫.୯୨%
ଅଗଷ୍ଟ ୨୯ – ୧୧୯ – ୧୪.୦୧%
ଅଗଷ୍ଟ ୨୮ – ୧୦୫ – ୧୩.୪୭%
ଅଗଷ୍ଟ ୨୭ – ୧୦୬ – ୧୨.୯୯%
ଅଗଷ୍ଟ ୨୬ – ୧୩୦ – ୧୫.୩୧%
ଅଗଷ୍ଟ ୨୫ – ୧୩୧ – ୧୪.୭୬%
ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ପିଲା କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଏହି ହାର ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରଥମ ଲହରରେ ମୋଟ ସଂକ୍ରମଣରେ ୮ ପ୍ରତିିଶତ ପିଲା ରହିଥିଲେ । ଦ୍ୱିତୀୟ ଲହରରେ ଅର୍ଥାତ୍ ଜୁଲାଇ ସୁଦ୍ଧା ଏହା ୧୦ ପ୍ରତିଶତକୁ ବୃଦ୍ଧି ପାଇଥିଲା । ତେବେ ଗତ ୭ ଦିନରେ ଏହି ହାର ବଢ଼ିଯାଇଛି । ଅଗଷ୍ଟ ୨୫ରୁ ଅଗଷ୍ଟ ୩୧ ମଧ୍ୟରେ ଯେତିକି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେଥିମଧ୍ୟରୁ ୧୪.୭୦ ପ୍ରତିଶତ ହେଉଛନ୍ତି ପିଲା, ଯାହାଙ୍କ ବୟସ ୧୮ ବର୍ଷ ବୟସରୁ କମ୍ ।

ଓଡ଼ିଶା କରୋନା ମିଟର
ପ୍ରଥମ ଲହର – ୮ ପ୍ରତିଶତ ପିଲାଙ୍କୁ କରୋନା
ଦ୍ୱିତୀୟ ଲହର – ୧୦ ପ୍ରତିଶତ ପିଲାଙ୍କୁ କରୋନା
ଗତ ୭ ଦିନ – ୧୪.୭୦ ପ୍ରତିଶତ ପିଲାଙ୍କୁ କରୋନା

ତୃତୀୟ ଲହରର ଆଶଙ୍କା ଭିତରେ ପିଲାଙ୍କ ସଂକ୍ରମଣ ବୃଦ୍ଧି ପାଇବା, ଅଧିକ ଚିନ୍ତା ସୃଷ୍ଟି କରିଛି । କରୋନାର ଡେଲଟା ଭ୍ୟାରିଆଣ୍ଟର ଭୟ ସରିନଥିବାବେଳେ ଆଉ ଏକ ନୂଆ ଭ୍ୟାରିଆଣ୍ଟ ଭୟ ବଢାଇଲାଣି । ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶରେ କରୋନା ଭୂତାଣୁର ନୂଆ ରୂପ ଦେଖିବାକୁ ମିଳିଛି । ଭୂତାଣୁର ନୂଆ ରୂପର ନାମ ହେଉଛି ସାର୍ସ ସି.୧.୨ । ଏହା ପୂର୍ବ ଭୂତାଣୁ ଠାରୁ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । କରୋନା ଟିକାର କବଚକୁ ସହଜରେ ଭେଦି ପାରିବାର କ୍ଷମତା ରଖୁଥିବା ଜଣାପଡିଛି । ଯାହାକି ଚିନ୍ତାର କାରଣ ପାଲଟିଛି । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଲହର ସମୟରେ କରୋନା ଭୂତାଣୁର ସି.୧ ଭ୍ୟାରିଆଣ୍ଟ ପ୍ରଭାବ ବିସ୍ତାର କରିଥିଲା । ଏହା ଏବେ ରୂପ ବଦଳାଇଛି ଏବଂ ସଂକ୍ରମଣ କ୍ଷମତା ପୂର୍ବ ଠାରୁ ୧୦ ଗୁଣ ଅଧିକ ବୋଲି ଜଣାପଡିଛି । ତେବେ ଏହା ଉପରେ ଅଧିକ ଗବେଷଣା ଚାଲିଥିବା ବିଶେଷଜ୍ଞ ମତ ରଖିଛନ୍ତି ।