କନକ ବ୍ୟୁରୋ: କୋଭିଡ ନୂଆ ସବ ଭ୍ୟାରିଆଣ୍ଟ ଜେଏନୱାନକୁ ନେଇ ବଢୁଛି ଚିନ୍ତା । କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୧୯ ଆକ୍ରାନ୍ତ । ୧୮ ସଂକ୍ରମିତ ଗୋଆରୁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଗତ ୯ ଦିନରେ ଦେଶରେ କୋଭିଡ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି । ଡିସେମ୍ବର ୧୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୩୮ ଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହି ସଂଖ୍ୟା ୧୯୭୦ ଛୁଇଁଛି । ଏଥିସହ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେରଳରୁ ୫ଜଣ, ଉତରପ୍ରଦେଶରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି ।

Advertisment

ସବୁଠୁ ଅଧିକ ଚିନ୍ତା ବଢାଇଛି କେରଳ । କାରଣ ଦିନକରେ ୧୧୫ଜଣ ସଂକ୍ରମିତ ଚିହ୍ନଟ ହେବା ସହ ପଡୋଶୀ ରାଜ୍ୟ କର୍ଣ୍ଣାଟକ,ଆନ୍ଧ୍ର ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ନୂଆ ସବ ଭ୍ୟାରିଆଂଟ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ସଂକ୍ରମଣ ରୋକିବାକୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସଚିବମାନେ ଯୋଗଦେବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣଭାବେ ଯାଇନି କୋଭିଡ । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ ଜେଏନଡଟୱାସ ସବଭ୍ୟାରିଆଂଟ ଥିବା କୁହାଯାଉଛି ।