ସାର ଦରକୁ ନେଇ ସାରା ରାଜ୍ୟରେ ଦେଖା ଦେଉଛି ସମସ୍ୟା : ସରକାରୀ ମୂଲ୍ୟ ୯୭୫ଟଙ୍କା ହେଲେ ଚାଷୀଙ୍କ ଠାରୁ ଅଧିକ ଦାବି କରୁଛି ସୋସାଇଟି

190

କନକ ବ୍ୟୁରୋ : ସାରା ରାଜ୍ୟରେ ସାରର ଚଢାଦରକୁ ନେଇ ସମସ୍ୟା ଦେଖାଦେଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବେଢ ଗାଁରେ ସାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସାରର ସରକାରୀ ମୂଲ୍ୟ ୯୭୫ ଟଙ୍କା ହୋଇଥିବା ବେଳେ ସୋସାଇଟି ସମ୍ପାଦକ ଚାଷୀମାନଙ୍କୁ ଅଧିକ ଦରରେ ବିକ୍ରି କରୁଛନ୍ତି । ଏହାକୁ ନେଇ ୪ ଦିନ ତଳେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ବିଜେପି ନେତା ଓ କର୍ମୀ ।

ସେହିଦିନ ରାତିରେ ୮ ରୁ ୧୦ ଜଣ ଯୁବକ ବାଇକରେ ଆସି ସୋସାଇଟି ସମ୍ପାଦକଙ୍କ ଗେଟକୁ ଲାତ ମାରି ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସମ୍ପାଦକ ସୋସାଇଟି ଅଫିସ ଖୋଲି ନଥିଲେ ଏବଂ ଚାଷୀମାନଙ୍କୁ ସାର ବିକ୍ରି କରିନଥିଲେ । ଏବେ ଅଳ୍ପଅଳ୍ପ ବର୍ଷା ହେଉଥିବାରୁ ଚାଷୀମାନେ ଧାନ ରୁଆ କାମ ଆରମ୍ଭ କରିଛନ୍ତି । ସାର ନିହାତି ଆବଶ୍ୟକ ଥିବାରୁ ଗାଁ ଲୋକେ ଗତକାଲି ସୋସାଇଟି ସମ୍ପାଦକଙ୍କୁ ସାର ଦେବା ପାଇଁ ଫୋନ କରି ଡାକି ଥିଲେ ।

ସମ୍ପାଦକ ଆସି ସୋସାଇଟି ଅଫିସ ଖୋଲି ବସିଥିବା ବେଳେ ହଠାତ ୧୦ରୁ ୧୨ ଜଣ ଯୁବକ ବାଇକରେ ଆସି ଅଫିସ ସମ୍ନାରେ ସମ୍ପାଦକ ଓ ଗ୍ରାମବାସୀଙ୍କୁ ଅଶ୍ଲଳ ଭାଷାରେ ଗାଳି ଗୁଲଜ କରିବା ସହ ସୋସାଇଟି ଅଫିସ ବନ୍ଦ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଫଳରେ କିଛି ଗ୍ରାମବାସୀ ସେଠାରେ ପହଂଚିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ହାତାହାତି ହୋଇଥିଲେ । ହାତରେ ଲୁହାରଡ ଏବଂ ଠେଙ୍ଗା ଧରି ପରସ୍ପର ଉପରେ ଆକ୍ରାମଣ କରିବାରୁ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଛନ୍ତି ।