ଆଖିବୁଜିଲେ ବୀର ଯୋଦ୍ଧା ବରୁଣ । ସିଡିଏସ୍ ବିପିନ ରାୱତଙ୍କ ସହ ଗଲା ବେଳେ ହେଲିକପ୍ଟର ଦୁର୍ଘଟଣାରେ ହୋଇଥିଲେ ଆହତ ।

156

କନକ ବ୍ୟୁରୋ : ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ୱେ ଗ୍ରୁପ କ୍ୟାପଟେନ ବରୁଣ ସିଂହଙ୍କ ମୃତ୍ୟୁ ଘଟିଛି । ଭାରତୀୟ ବାୟୁସେନା ଏହି ସୂଚନା ଦେଇଛି । ବରୁଣ ସୁସ୍ଥ ହୋଇଥିଲେ ୮ ତାରିଖ ଦିନ ମଝି ଆକାଶରେ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କେଉଁ କାରଣ ପାଇଁ ଦୁର୍ଘଟଣାର ଶିକାର ହେଲା ଜଣାପଡିଥାନ୍ତା । ଏବେ କେବଳ ବ୍ଲାକ ବକ୍ସକୁ ଭରସା । ବରୁଣଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ଆଖି ବୁଜିଲେ ଗ୍ରୁପ କ୍ୟାପଟେନ ବରୁଣ ସିଂହ । ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ବରୁଣ ସିଂହ ଏକମାତ୍ର ବ୍ୟକ୍ତି ଭାବେ ଜୀବିତ ଉଦ୍ଧାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ସେନା ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ପାଖାପାଖି ସପ୍ତାହେ ଧରି ସମସ୍ତ ପ୍ରୟାସ କରିଥିଲେ । ହେଲେ ଏହା ସଫଳ ହୋଇନାହିଁ । ବାୟୁସେନା ଏହି ଗ୍ରୁପ କ୍ୟାପଟେନଙ୍କ ବିୟୋଗ ବାବଦରେ ସୂଚନା ଦେଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ବରୁଣ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

-ବାରମ୍ୱାର ଦୁର୍ଘଟଣାରୁ ବର୍ତିଛନ୍ତି ବରୁଣ ସିଂ
-ଗତ ଅଗଷ୍ଟରେ ସେନାରୁ ମିଳିସାରିଛି ସୌର୍ଯ୍ୟଚକ୍ର ସମ୍ମାନ
-ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ସତ୍ୱେ ସଫଳତାର ସହ ଅବତରଣ କରାଇଥିଲେ ତେଜସ ଯୁଦ୍ଧ ବିମାନ
-ଗ୍ରୁପ କ୍ୟାପଟେନ୍ ବରୁଣ ସିଂଙ୍କ ଘର ପୂର୍ବ ଉତ୍ତର ପ୍ରଦେଶର ଦେଓରିଆ ଅଂଚଳରେ
-ବରୁଣଙ୍କ ବାପା ଓ ଭାଇ ମଧ୍ୟ ଭାରତୀୟ ସେନାରେ ଦେଶର ସେବା କରିଛନ୍ତି
-ବାପା ସ୍ଥଳସେନାର ଏୟାର ଡିଫେନ୍ସ ଏବଂ ଭାଇ ନୌସେନାର ଅଫିସର
-ଏନଡିଏ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ବାୟୁସେନାରେ ହୋଇଥିଲେ ସାମିଲ
-ଫ୍ଲାଇଟ୍ ଲେଫ୍ଟନାଣ୍ଟ ପରେ ଫ୍ଲାଇଂ ଇନଷ୍ଟ୍ରକଟର ପଦବୀକୁ ପଦୋନ୍ନତୀ
-ପାଇଲଟ୍ ପରୀକ୍ଷା ଦେବା ପରେ ୧୧ ମାସର ପାଇଲଟ ଟ୍ରେନିଂ ନେଇଥିଲେ

ଗ୍ରୁୁପ କ୍ୟାପଟେନଙ୍କ ବିୟୋଗ ଦେଶ ପାଇଁ ବଡ ଦୁଃଖଦ ଖବର । କାରଣ ଆଶା ଥିଲା ଯଦି ବରୁଣ ସିଂ ସୁସ୍ଥ ହୋଇ ଫେରିଥାନ୍ତେ ତାହେଲେ ଡିସେମ୍ବର ୮ ତାରିଖ ଦିନ ମଝି ଆକାଶରେ ହେଲିକପ୍ଟର କିଭଳି ଦୁର୍ଘଟଣାର ଶିକାର ହେଲା ଜାଣିହୁଅନ୍ତା । କିନ୍ତୁ ସବୁ ଆଶା ମଉଳିଯାଇଛି । ଯଦିଓ ହେଲିକପ୍ଟରର ବ୍ଲାକ ବକ୍ସ ଉଦ୍ଧାର ହୋଇଛି । ହେଲେ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାରେ ଏହା କେତେ ସଫଳ ହେବ ତାହା ତଦନ୍ତ ପରେ ଜଣାପଡିବ ।