ମାଲକାନଗିରିରେ ୨ ପିଲାଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଘଟଣା। ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ତଦନ୍ତ କଲା ଜିଲ୍ଲାପ୍ରଶାସନ

ଗ୍ରାଉଣ୍ଡ ଜିରୋରେ ଦାରିଦ୍ରତାର କାରଣ ଖୋଜିଲା କନକ ନ୍ୟୁଜ୍

221

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଦୁଇ ଶିଶୁଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଘଟଣାକୁ ନେଇ ଏବେ କାଠଗଡାରେ ରାଜ୍ୟ ସରକାର । ଜନ୍ମଠାରୁ ମୃତ୍ୟୁ ଯାଏଁ ସରକାରଙ୍କ ବହୁ ଯୋଜନା ଥାଇ ମଧ୍ୟ କେମିତି ଦାରିଦ୍ର‌୍ୟ ଯନ୍ତ୍ରଣା ଯୋଗୁଁ ଜଣେ ଜନ୍ମଦାତ୍ରୀ ମାଆ ତାର ଦୁଇ ସନ୍ତାନଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ତାହାକୁ ନେଇ ଉଠିଛି ପ୍ରଶ୍ନ । ବିଧାନସଭାରେ ମାଲକାନଗିରି ବିଧାୟକ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏହାପରେ ରିପୋର୍ଟ ପ୍ରସ୍ତୁତ କରିବା ଲଗି ପଡିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନତ ପ୍ରସ୍ତୁତି କରୁଛି, ହେଲେ ସରକାରୀ ଯୋଜନାର କେତେ ସଫଳତା ପାଇଛନ୍ତି ମୃତ ସୀତା, ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ ।

 

ମାଲକାନଗିରିର ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣା ସରକାରଙ୍କ ଲୋକାଭିମୁଖି ଯୋଜନାକୁ କାଠଗଡାରେ ଠିଆ କରିଛି । ସ୍ୱାମୀ ମୃତ୍ୟୁ ପରେ ଦୁଇ ପିଲାଙ୍କ ମୁହଁରେ ମୁଠାଏ ଦାନା ଦେଇ ପାରୁନଥିବା ମାଆର ଚରମ ନିଷ୍ପତି ବିଧାନସଭାରେ ପ୍ରସଙ୍ଗ ହୋଇଛି । ମାଲକାନଗିରିର ବିଧାୟକ ଆଦିତ୍ୟ ମାଢି ଏହି ପ୍ରସଙ୍ଗ ଉଠାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏହାପରେ ମୃତ ସୀତାଙ୍କ ଗୋରେଇଗୁଡା ଗାଁରେ ତଦନ୍ତ କରିଛନ୍ତି ବି.ଡି.ଓ, ସି.ଡି.ପି.ଓ, ସୁପରଭାଇଜର, ଆର.ଆଇ, ସରପଂଚ, ଯୋଗାଣ ସହାୟକ । ରାଜ୍ୟ ସରକାରଙ୍କ କେଉଁ କେଉଁ ଯୋଜନାର ସୁଫଳ ପାଉଥିଲେ ମୃତ ସୀତା ତାର ସରଜମିନ୍ ତଦନ୍ତ କରିଛନ୍ତି ।

– ସୀତାଙ୍କ ସ୍ୱାମୀ ମୁକା ମାଡକାମୀ ଓ ତାଙ୍କ ଶାଶୁ ବୁଦ୍ରୀ ମାଡକାମୀଙ୍କ ନାଁରେ ଦୁଇଟି ରାସନକାର୍ଡ ରହିଛି ।

– ସୀତାଙ୍କ ଶାଶୁ ବୁଦ୍ରୀଙ୍କ ନାଁରେ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ରହିଛି ।

– ଘର ନିର୍ମାଣ ପାଇଁ ବୁଦ୍ରୀ ପରିବାର ମନରେଗା ଯୋଜନାରେ ୯୫ ଦିନର କାମ ପାଇଛନ୍ତି ।

– ସୀତାଙ୍କ ଶ୍ୱଶୁରଙ୍କ ନାଁରେ ପ୍ରାୟ ୧୬ ଏକର ଜମି ରହିଛି ।

– ମୁକା ଓ ସୀତାଙ୍କ ମୃତ୍ୟୁ ପରେ ହରିଶଚନ୍ଦ୍ର ଯୋଜନାରେ ପରିବାରକୁ ୨୦୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି ।

– ଆଗକୁ ସୀତାଙ୍କ ୭ ବର୍ଷିୟ ପୁଅ ଓ ୫ ବର୍ଷର ଝିଅର ପଢା ଖର୍ଚ୍ଚ ବହନ କରିବେ ଜିଲ୍ଲା ପ୍ରଶାସନ

ଏ ତ ଥିଲା ସରକାରୀ ସୁବିଧା ସୁଯୋଗର ତାଲିକା । ଗ୍ରାଉଣ୍ଡ ଜିରୋରୁ କନକ ନ୍ୟୁଜର ଯେଉଁ ତଥ୍ୟ ହସ୍ତଗତ ହୋଇଛି ତାହା ରାଜ୍ୟ ସରକାରଙ୍କ ତମାମ ଯୋଜନାର ମୁଖା ଖୋଲିଦେବ ।

..ସ୍ୱାମୀ ମୁକା ମାଡକାମୀଙ୍କ ରାସନକାର୍ଡରେ ସୀତାଙ୍କ ନାଁରେ ରହିଛି କିନ୍ତୁ ସେଥିରେ ସ୍ଥାନ ପାଇ ନାହାନ୍ତି ତାଙ୍କ ପୁଅ ଓ ଝିଅ । ଗତ ମେ ୪ ତାରିଖରେ ୨୦ କେଜି ଚାଉଳ ଉଠାଇବା ପରେ ଆଉ ଚାଉଳ ପାଇନଥିଲେ ସିତା । କାରଣ ଏଠାରେ ୨ ମାସରେ ଥରେ ମିଳିଥାଏ ପି.ଡି.ଏସ ଚାଉଳ ।

..ସୀତାଙ୍କ ଶ୍ୱଶୁରଙ୍କ ନାଁରେ ୧୬ ଏକର ଜମି ରହିଥିବା ବେଳେ ୧୧ ଏକର ଜଳସେଚିତ ଜମି ରହିଛି, ହେଲେ କାଳିଆ ଯୋଜନାରେ ଟଙ୍କାଟିଏ ପାଇନାହାନ୍ତି ମାଡକାମୀ ପରିବାର ।

.. ସୀତାଙ୍କ ସ୍ୱାମୀ ଓ ତାଙ୍କ ଶାଶୁଙ୍କ ନାଁରେ ଭିନ୍ନ ଭିନ୍ନ ରାସନକାର୍ଡ ଏବଂ ବିପିଏଲ କାର୍ଡ ରହିଛି । ଶାଶୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଛନ୍ତି । କିନ୍ତୁ ସ୍ୱାମୀଙ୍କ ପଲିଥିନି ଟଣା କୁଡିଆ ଭିତରେ ଦୁଇ ଶିଶୁଙ୍କୁ ଧରି ରୁହନ୍ତି ସୀତା ।

.. ୨ ମାସ ତଳେ ସ୍ୱାମୀ ଟିବି ରୋଗରେ ପ୍ରାଣ ହରାଇଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ଏନେଇ ସ୍ୱାସ୍ଥ୍ୟ ବିଭାଗ କି ଏଏନମ ଦିଦିଙ୍କ ପାଖରେ ତଥ୍ୟ ନାହିଁ । ସୀତାଙ୍କ ସ୍ୱାମୀ ଦୁଇ ବର୍ଷ ଧରି ଟିବି ରୋଗାକ୍ରାନ୍ତ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ ଯୋଜନାର ସୁଫଳ ପାଇପାରିନାହାନ୍ତି ।

.. ସ୍ୱାମୀଙ୍କ ମୃତ୍ୟୁର ମାସକ ଭିତରେ ସ୍ତ୍ରୀଙ୍କୁ ବିଧବା ଭତା ମିଳିବାର ବ୍ୟବସ୍ଥା ରହିଛି ହେଲେ ସୀତାଙ୍କୁ ମିଳିନାହିଁ ବିଧବା ଭତା ।

.. ଏନ୍.ଏଫ୍.ବି.ଏସ୍ ଯୋଜନାରେ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରକୁ ଅନୁକମ୍ପାମୂଳକ ୨୦,୦୦୦ ହଜାର ଟଙ୍କା ଦେବାର ସରକାରୀ ସୁବାଧା ଥିଲେ ବି ଡେଥ ସାର୍ଟିଫିକେଟ ନଥିବାରୁ ତାହା ମଧ୍ୟ ପାଇ ନଥିଲେ ସୀତା ।

ସ୍ୱାମୀଙ୍କ ମୃତ୍ୟୁ ପରେ ଖାଇବା-ପିଇବାର ଘୋର ଅଭାବ ଥିଲା ସୀତାଙ୍କର । ଏକଥା ଆମେ କହୁନୁ, କହୁଛନ୍ତି ତଦନ୍ତରେ ସାମିଲ ଥିବା କିଛି ଅଧିକାରୀ, ସ୍ଥାନୀୟ ଏ.ଏନ.ଏମ ଦିଦି ଓ ଜନ ପ୍ରତିନିଧୀ । ଦୁଇ ବର୍ଷ ଧରି ରୋଗାକ୍ରାନ୍ତ ସ୍ୱାମୀଙ୍କ ଖର୍ଚ ବହନ କରି ନୟାନ୍ତ ହୋଇ ପଡିଥିଲେ ସିତା । ଶେଷରେ ଦାରିଦ୍ରତା ସହ ଜୁଝି ଜୁଝି ହାରି ଯାଇଛନ୍ତି ସୀତା । ସୀତା ସିନା ଆଖି ବୁଜିଦେଲେ ତାଙ୍କ ପୁଅ-ଝିଅ ଏବେ ବି ମାଲକାନଗିରି ଡାକ୍ତରଖାନାରେ ଜୀବନ ସହ ଜୁଝି ହେଉଛନ୍ତି ।