ଝାଡ଼ଖଣ୍ଡରେ ପିଲାଙ୍କ ପାଇଁ ନାହିଁ ଓଡ଼ିଆ ବହି । ପୁରୁଣା ବହିକୁ ଜେରକ୍ସ କରି ପାଠ ପଢୁଛନ୍ତି ଓଡ଼ିଆ ପିଲା ।

104

କନକ ବ୍ୟୁରୋ : ଝାଡଖଣ୍ଡରେ ଓଡିଆ ଭାଷାଭାଷି ଅଞ୍ଚଳରେ ଓଡିଆ ପାଠପଢ଼ା ବନ୍ଦ ହୋଇଯିବାକୁ ନେଇ ଆଶଙ୍କା ଭିତରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା କନକ ନ୍ୟୁଜ୍ ଟିମ୍ । ଝାଡଖଣ୍ଡରେ ଥିବା ଓଡିଆ ସ୍କୁଲରେ କେମିତି ପାଠପଢ଼ା ଚାଲିଛି ଓ କଣ ରହିଛି ସମସ୍ୟା ସ୍ଥିତି ପରଖିଛି ଆମ ଟିମ୍ ।

ସ୍କୁଲରେ ଶୋଭା ପାଉଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି । ଓଡିଆରେ ଲେଖାଯାଇଛି ବିଦ୍ୟାଳୟର ନାଁ । ଶିକ୍ଷକମାନେ ଶ୍ରେଣୀଗୃହରେ ଓଡିଆରେ ପାଠ ପଢ଼ାଉଛନ୍ତି । କିନ୍ତୁ ଏହା ଓଡିଶା ଭିତରେ ଥିବା କୌଣସି ସ୍କୁଲର ଘଟଣା ନୁହେଁ । ଏହା ଓଡିଶା ବାହାରେ ଝାରଖଣ୍ଡରେ ରହିଯାଇଥିବା ଓଡିଆ ଭାଷାଭାଷା ଅଞ୍ଚଳ ପୂର୍ବ ସିଂହଭୂମି ଜିଲ୍ଲା ବହଡାଗଡା ବ୍ଲକ, ଶାସନ ଗାଁରେ ଥିବା ଏକ ବିଦ୍ୟାଳୟର ପିଲା ସଂଖ୍ୟା କହୁଛି, ଓଡିଆରେ ପାଠ ପଢ଼ିବା ପାଇଁ ଏହି ଅଞ୍ଚଳରେ କେତେ ଆଗ୍ରହ ରହିଛି ।

ଓଡିଶା ସରକାର ଏଠାରେ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ବିଷୟରେ ଓଡିଆ ବହି ଯୋଗାଇ ଦେଇଛନ୍ତି । କିନ୍ତୁ ନବମ ଓ ଦଶମ ଶ୍ରେଣୀର ବହି ମିଳୁନଥିବାରୁ ୨୦୦୭ ମସିହାର ବହିକୁ ଜେରକ୍ସ କରି ଆଜିଯାଏଁ ପଢ଼ି ଆସୁଛନ୍ତି ଓଡିଆ ଛାତ୍ରଛାତ୍ରୀ । ଅନ୍ୟପଟେ ଝାଡଖଣ୍ଡ ସରକାର କେବଳ ଓଡିଆ ମାତୃଭାଷାକୁ ଛାଡି ଆଉ ସମସ୍ତ ବହି ହିନ୍ଦୀ ଭାଷାର ଦେଉଛନ୍ତି । ଯାହାକି ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ବିରାଟ ସମସ୍ୟା ସୃଷ୍ଟି କରୁଛି ।

ଏଭଳି ସ୍ଥିତିରେ ଓଡିଆକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ଝାଡଖଣ୍ଡ ସରକାର ଚକ୍ରାନ୍ତ କରୁଥିବାରୁ ସମସ୍ୟାର ସମାଧାନ ପାଇଁ ଓଡିଶା ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ବୁଦ୍ଧିଜୀବୀ । ୧୯୩୬ ମସିହାରେ ଓଡିଶା ପ୍ରଦେଶ ଗଠନ ହେବା ପୂର୍ବରୁ, ଝାଡଖଣ୍ଡର ଷଢ଼େଇକଳା, ଖରଶୁଆଁ ଓ ଚାଇଁବସା ଅଂଚଳରେ ବହୁସଂଖ୍ୟାରେ ଓଡିଆ ରହି ଆସୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏମାନେ ନିଜ ମାତୃଭାଷାରେ ପାଠ ପଢ଼ିବା ପାଇଁ, ଏବେ ବି ସଂଘର୍ଷ କରୁଛନ୍ତି ।