ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ସୁବିଧା ପାଇବା ପାଇଁ ୮୦ କିଲୋମିଟର ଯାତ୍ରା କରୁଛନ୍ତି ୫୪ଟି ଗାଁର ଲୋକେ, ନିଦା ବିଷ୍ଣୁ ସାଜିଛି ପ୍ରଶାସନ ।

Advertisment
ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ସରକାରୀ ସୁବିଧା ପାଇବା ପାଇଁ ୮୦ କିଲୋମିଟର ଯାତ୍ରା କରୁଛନ୍ତି ୫୪ଟି ଗାଁର ଲୋକେ, ନିଦା ବିଷ୍ଣୁ ସାଜିଛି ପ୍ରଶାସନ ।

କନକ ବ୍ୟୁରୋ : ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଫୋକସରେ ଅଛି ସ୍ୱାଭିମାନ ଅଂଚଳ । ବାଲିମେଳା ଜଳଭଣ୍ଡାରର ବୁଡି ଅଂଚଳର ସମସ୍ତ ଗାଁ ଓ ଗ୍ରାମ ପଂଚାୟତ ଏବେ ମୁଖ୍ୟମନ୍ତ୍ରୀଙ୍କ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗ୍ରାମ ପଂଚାୟତର କାହାଣୀ କହିବୁ, ଯାହା ବାଲିମେଳା ଜଳଭଣ୍ଡାରର ବୁଡି ଅଂଚଳରେ ଥାଇ ମଧ୍ୟ ସ୍ୱାଭିମାନ ଅଂଚଳର ଗ୍ରାମ ପଂଚାୟତ ତାଲିକାରୁ ବାଦ ପଡିଛି । ଏବେ ବି ପିଡିଏସ ସାମଗ୍ରୀ ଓ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଁ ଜଳ ଓ ସ୍ଥଳପଥ ଦେଇ ୬୦ ରୁ ୭୫ କିଲୋମିଟର ଯାତ୍ରା କରୁଛନ୍ତି ୫୪ଟି ଗାଁର ସ୍ୱାଭିମାନୀ ମଣିଷ । ବର୍ଷ ବର୍ଷ ଧରି ନୂତନ ଗ୍ରାମ ପଂଚାୟତ ଲାଗି ଏମାନେ ଦାବି କରି ଆସୁଥିଲେ ହେଁ, ନିଦା ବିଷ୍ଣୁ ସାଜିଛି ପ୍ରଶାସନ ।

ଗୁରୁପ୍ରୀୟା ସେତୁ ଉଦଘାଟନ ହେବା ପରେ ବୁଡି ଅଂଚଳରେ ବିକାଶର ଗାଡି ଦ୍ରୁତଗତିରେ ଗଡିବ ବୋଲି ଆଶା କରାଯାଉଥିଲା । ହେଲେ ଏବେ ସ୍ଥିତି କିଛି ଭିନ୍ନ କଥା ବୟାନ କରୁଛି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦାବିକୁ ନେଇ ଅଶାନ୍ତ ହୋଇପଡୁଛି ଚିତ୍ରକୋଣ୍ଡାର ବୁଡି ଅଂଚଳ । ଆଉ ଏହାର କାରଣ ଜାଣିବା ଲାଗି ବାଲିମେଳା ଜଳଭଣ୍ଡାରରେ ୩ ଘଂଟାର ଜଳଯାତ୍ରା କରି ସ୍ୱାଭିମାନ ଅଂଚଳର ଅପହଁଚ ଇଲାକାରେ ପହଂଚିଥିଲା କନକ ନ୍ୟୁଜ ଟିମ । ନାକାମାମୁଡି ପଂଚାୟତରେ ପହଂଚି ବିଭିନ୍ନ ଗାଁ ବୁଲି, ସେଠାକାର ବାସ୍ତବ ଚିତ୍ର ଦେଖିଥିଲେ ଆମ ପ୍ରତିନିଧି ଦେବବ୍ରତ ସାନା ।

ଭିନ୍ନ ଏକ ସ୍ୱାଭିମାନ ଅଂଚଳ । ପଞ୍ଚାୟତରୁ ଗାଁ ୮୦ କିଲୋମିଟର ଦୂର । ବୁଡି ଅଂଚଳରେ ଥାଇ ମଧ୍ୟ ସ୍ୱାଭିମାନ ଅଂଚଳ ତାଲିକାରୁ ବାଦ ପଡିଛି ନାକାମାମୁୁଡି ପଂଚାୟତ । ବାଲିମେଳା ଜଳଭଣ୍ଡାରର ଡାଇକ–ଥ୍ରୀ ଠାରୁ ଜଳଭଣ୍ଡାରର ଶେଷ ଯାଏଁ ଲମ୍ବିଛି ନାକାମାମୁଡି ପଂଚାୟତ । ଘିସିଙ୍ଗବେଡା, ନାରିଙ୍ଗିଝୋଲା, ଆମ୍ବିଳିବେଡା, ବୋଖିଲି, ମୁଦୁଲିଗୁଡା, ବାୟାପଡା, ଗଙ୍ଗପଡା ପରି ୪୦ରୁ ଅଧିକ ଗାଁ ଅଛି ଏହି ପଂଚାୟତରେ । ଆଉ ପି.ଡି.ଏସ ଚାଉଳ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇଁ ୭୦ କିଲୋମିଟର ଦୂର ମୁଦୁଲିପଡାକୁ ଜଳ ଓ ସ୍ଥଳପଥରେ ଯାତ୍ରା କରନ୍ତି ନାକାମାମୁଡି ପଂଚାୟତ ବାସିନ୍ଦା । ପଂଚାୟତ କି ବ୍ଲକଅଫିସକୁ ଆସିବାକୁ ହେଲେ ଗୋଟିଏ ଦିନ ଆଗରୁ ଘରୁ ବାହାରିବାକୁ ପଡେ ।

publive-imageଅଙ୍ଗୁରଗୁଡା ଠାରୁୁ କୋରୁକୋଣ୍ଡା ବ୍ଲକର ଦୂରତା–୮୦ କିଲୋମିଟର
ବାୟାପଡା ଠାରୁ କୋରୁକୋଣ୍ଡା ବ୍ଲକର ଦୂରତା– ୮୦ କିଲୋମିଟର
ଆମଳିବେଡା ଠାରୁ କୋରୁକୋଣ୍ଡା ବ୍ଲକର ଦୂରତା– ୭୫ କିଲୋମିଟର
ଟିକରପଡା ଠାରୁ କୋରୁକୋଣ୍ଡା ବ୍ଲକର ଦୂରତା– ୮୦ କିଲୋମିଟର

ନାକାମାମୁଡିବାସିଙ୍କୁ ମୁଦୁଲିଗୁଡା ଠାରେ ପିଡିଏସ ଚାଉଳ ଦେବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ହେଲେ ମୁଦୁଲିଗୁଡାରୁ ମଧ୍ୟ ଚାଉଳ ପାଇବା ଦିବା ସ୍ୱପ୍ନ ସାକାର ହେଲା ଭଳି । କାରଣ ପିଡିଏସ ଚାଉଳ ଗଚ୍ଛିତ କରିବା ଲାଗି ଗୋଦାମ ନାହିଁ । ତେଣୁ ୨-୩ ମାସରେ ଥରେ ଚାଉଳ ମିଳୁଛି ।

ମୁଦୁଲିଗୁଡାରୁ ଜଳପଥରେ ସ୍ୱାଭିମାନ ଅଂଚଳର ଖଜୁରିଗୁଡା ଗାଁରେ ପହଂଚିଥିଲେ ଆମ ଟିମ୍ । ସେଠାରେ ବିକାଶର ପରିବର୍ତୀ ପରିଭାଷା କଏଦ କରିଥିଲା ଆମ କ୍ୟାମେରା । ଏଠାରେ ସ୍କୁଲ ଅଛି, ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳୁଛି, କିନ୍ତୁ କୁନିକୁନି ପିଲା ସ୍କୁଲକୁ ଯିବା ବଦଳରେ ଜଳଭଣ୍ଡାରରେ ଦେଶୀ ଡଙ୍ଗାରେ ମାଛ ମାରୁଥିବାର ଦୃଶ୍ୟ ଆମକୁ ଭାରାକ୍ରାନ୍ତ କରିଥିଲା । ଯେଉଁଠି ଅଙ୍ଗନୱାଡି କେନ୍ଦ୍ର ବର୍ଷ ବର୍ଷ ଧରି ଅଧାଗଢା ହୋଇ ପଡିରହିଛି ସେଠାରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ କିଭଳି ମିଳୁଥିବ ପୁଷ୍ଟିକର ଖାଦ୍ୟ ଓ କେମିତି ଚାଲିଥିବ ଟିକାକରଣ ବ୍ୟବସ୍ଥା ତାହା ସହଜରେ ଅନୁମେୟ ।

ଶିକ୍ଷା, ସ୍ୱାସ୍ଥ୍ୟ କଥା ଛାଡନ୍ତୁ, ନାକାମାମୁଡି ବାସିନ୍ଦାଙ୍କ ଶୋଷ ମେଂଟାଉଛି ପାହାଡିଆ ନାଳ ଏବଂ ଜଳଭଣ୍ଡାର ପାଣି । ଗାଁକୁ ରାସ୍ତା ଘାଟ ନଥିବା ବେଳେ ବୁଡି ଅଂଚଳରେ ଚାଷ କହିଲେ ଗଂଜେଇ ଚାଷକୁ ହିଁ ବୁଝାଏ । ଆଉ ଏବେ ନିଜ ଅଂଚଳର ସମସ୍ୟା ସମାଧାନ ପାଇଁ ବାରମ୍ବାର ପ୍ରଜାମେଳି କରି ଏକାଠି ହେଉଛନ୍ତି ନାକାମାମୁଡି ପଂଚାୟତର ଆଦିବାସୀ । ତେବେ ରାଜ୍ୟ ସରକାରଙ୍କ ନିକଟରେ ପଂଚାୟତ ପୁନର୍ଗଠନ ମାମଲା ବିଚାରାଧିନ ରହିଥିବା ବେଳେ ନାକାମାମୁଡିକୁ ନୁତନ ରାସ୍ତା-ଘାଟ ନିର୍ମାଣ କାମ ଜାରି ରହିଥିବା କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe