କନକ ବ୍ୟୁରୋ : ଗାଜାରେ ହମାସ ବିପକ୍ଷରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ଗାଜାକୁ ୩ ପାଶ୍ୱର୍ରୁ ଘେରି ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ସେନା । ଘାତକ ଟ୍ୟାଙ୍କର ସହ ଆଗକୁ ବଢୁଛି ଇସ୍ରାଏଲ ସେନା । କେବଳ ଗ୍ରାଉଣ୍ଡ ଅପରେସନ ନୁହେଁ ବରଂ ଆକାଶପଥରୁ ମଧ୍ୟ ହମାସର ଆଡ୍ଡା ଉପରେ ଆକ୍ରମଣ କରି ଚାଲିଛି ଇସ୍ରାଏଲ । ଏବେସୁଦ୍ଧା ଗ୍ରାଉଣ୍ଡ ଅପରେସନରେ ହମାସର ୬୦୦ରୁ ଅଧିକ ଆଡ୍ଡାକୁ ଧ୍ୱଂସ କରିଛି ଇସ୍ରାଏଲ ।

Advertisment

ଅନ୍ୟପଟେ ଗ୍ରାଉଣ୍ଡ ଅପରେସନ କାରଣରୁ ଗାଜାର ସାଧାରଣ ଲୋକେ ପାନୀୟ ଜଳ, ଖାଦ୍ୟ ଓ ଇନ୍ଧନ ପାଇଁ ହନ୍ତସନ୍ତ ହେଉଛନ୍ତି । ସେହିଭଳି ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହମାସର ୪ କମାଣ୍ଡରଙ୍କୁ ମୃତ୍ୟୁ ହୋଇଛି । ଗାଜାରେ ଲଗାତାର ଆକ୍ରମଣ କାରଣରୁ ଏବେ ସୁଦ୍ଧା ୮୩୦୬ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁମାନଙ୍କ ମଧ୍ୟରେ ୩୪୫୭ ଶିଶୁ ଥିବା ବେଳେ ୨୧୩୬ ମହିଳା ରହିଛନ୍ତି । ସେହିଭଳି ଏହି ଆକ୍ରମଣରେ ୨୧୪୦୮ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, ଗ୍ରାଉଣ୍ଡ ଅପରେସନରେ ଯବାନ ମାନେ ପ୍ରଥମେ ହମାସର ଆଡ୍ଡା ଓ ସଦସ୍ୟଙ୍କୁ ଚିହ୍ନଟ କରି ଏହାର ସୂଚନା ସେନାକୁ ପଠାଇଥାନ୍ତି । ସେନାକୁ ସୂଚନା ମିଳିବା ମାତ୍ରେ ଏୟାରଷ୍ଟ୍ରାଇକ ଜରିଆରେ ହମାସର ଆଡ୍ଡାକୁ ଧ୍ୱଂସ କରାଯାଇଥାଏ । ସେହିଭଳି ଅପହୃତଙ୍କୁ ଉଦ୍ଧାର କରିବା ଆମର ମୁଖ୍ୟ ମିଶନ ବୋଲି କହିଛି ଇସ୍ରାଏଲ ସେନା । କାରଣ ଅପହୃତଙ୍କ ମଧ୍ୟରେ କେବଳ ଇସ୍ରାଏଲର ନାଗରିକ ନାହାନ୍ତି ବରଂ ଅନ୍ୟ ଦେଶର ନାଗରିକ ମଧ୍ୟ ରହିଛନ୍ତି । ଗତ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ମଧ୍ୟକୁ ପଶି ଆତଙ୍କ ରଚିଥିଲେ ହମାସ ଆତଙ୍କବାଦୀ । ପ୍ରାୟ ୧୪୦୦ ଲୋକଙ୍କୁ ମୃତ୍ୟୁର ଶର୍ଯ୍ୟାରେ ଶୁଆଇ ଦେଇଥିଲା ହମାସ । ସେହିଭଳି ୨୪୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା ହମାସ ।