କରୋନା କାଳରେ ଦେଶରେ ସନ୍ତୋଷଜନକ ଜିଏସଟି ଆଦାୟ, ଅଗଷ୍ଟରେ ପୁଣି ୧ ଲକ୍ଷ କୋଟି ଟପିଲା ଜିଏସଟି ରାଜସ୍ୱ

73

କନକ ବ୍ୟୁରୋ : ଦେଶରେ ଏବେ ବି କରୋନା ମହାମାରୀ ଲାଗି ରହିଛି । ହେଲେ ଏହାରି ଭିତରେ ଜିଏସଟି ରାଜସ୍ୱ ସଂଗ୍ରହ କ୍ରମାଗତ ଭାବେ ଦୁଇମାସ ଧରି ୧ ଲକ୍ଷ କୋଟି ଟଙ୍କା ଉପରେ ରହିଛି । ଜୁଲାଇ ପରେ ଅଗଷ୍ଟମାସରେ ଜିଏସଟି ରାଜସ୍ୱ ସଂଗ୍ରହ ୧.୧୨ ଲକ୍ଷ କୋଟି ଟଙ୍କା ରହିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କହିରଖୁ କି ଅଗଷ୍ଟ ମାସରେ ସଂଗ୍ରହ ହୋଇଥିବା ମୋଟ ଜିଏସଟି ରାଜସ୍ୱ ୧.୧୨ ଲକ୍ଷ କୋଟି ଟଙ୍କା । ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସଟି ଟ.୨୦,୫୨୨ କୋଟି, ରାଜ୍ୟ ଜିଏସଟି ଟ. ୨୬,୬୦୫ କୋଟି, ଇଣ୍ଟଗ୍ରେଟେଡ ଜିଏସଟି ୫୬,୨୪୭ କୋଟି ଟଙ୍କା ଓ ସେସ ୮୬୪୬ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

ଗତ ଏପ୍ରିଲମାସରେ ଦେଶର ଜିଏସଟି ଆଦାୟ ସର୍ବକାଳୀନ ରେକର୍ଡ ୧ ଲକ୍ଷ ୪୧ ହଜାର କୋଟିରେ ପହଞ୍ଚିଥିଲା । ମାତ୍ର କରୋନା ମହାମାରୀ ଓ ଲକଡାଉନ ଯ଼ୋଗୁଁ ମେ ଓ ଜୁନ ମାସରେ ଦେଶର ଜିଏସଟି ଆଦାୟ ହ୍ରାସ ପାଇଥିଲା । ଜୁନ ମାସରେ ଜିଏସଟି ଆଦାୟ ୧ ଲକ୍ଷ କୋଟିରୁ ତଳକୁ ଖସି ୯୨ ହଜାର କୋଟିରେ ପହଞ୍ଚିଥିଲା । ତେବେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ ଜୁଲାଇରେ ଜିଏସଟି ରାଜସ୍ବ ପୁଣି ୧ ଲକ୍ଷ କୋଟି ଛୁଇଁଥିଲା ।