ବେଦୀରେ କନିଆଁ, ବାଟରେ ବର । ପଶ୍ଚିମବଙ୍ଗରୁ ଓଡ଼ିଶା ବାହା ହେବା ପାଇଁ ଆସୁଥିବା ଦୁଇ ବର ବାଲେଶ୍ୱର ସୀମାରେ ଅଟକ ।

କଡ଼ାକଡ଼ି ଯାଂଚ ଯୋଗୁଁ ଆଗକୁ ବଢ଼ିପାରିଲାନି ବର ଗାଡ଼ି

425

କନକ ବ୍ୟୁରୋ: କରୋନା କାଳରେ ଦହଗଞ୍ଜ ହେଉଛନ୍ତି ଲୋକେ । କେଉଁଠି ଚିକିତ୍ସା ପାଇଁ ରୋଗୀ ହସ୍ପିଟାଲକୁ ଚାହିଁ ରହିଛି ତ ଆଉ କେଉଁଠି ଶ୍ମଶାନରେ ଅପେକ୍ଷା କରି ରହିଛି ଶବ । ଭୂତାଣୁ କେବଳ ସ୍ୱାସ୍ଥ୍ୟ ସେବାକୁ ଦୋହଲାଇ ଦେଇନି, ବରଂ ସାମାଜିକ ସଂକଟ ଭାବେ ଠିଆ ହୋଇଛି । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲ୍ଲାରୁ ଆସିଛି ଏମିତି ଏକ ଖବର, ଯେଉଁଥିରେ ଭୂତାଣୁ ଯୋଗୁଁ ସୀମାରେ ଅଟକି ରହିଛି ବର ଆଉ ବରକୁ ଅପେକ୍ଷା କରି ରହିଛି କନିଆଁ ।

ପଡ଼ୋଶୀ ରାଜ୍ୟରୁ ବାହା ହେବା ପାଇଁ ବାହାରି ଆସିଥିବା ବର ହେଲେ ରାସ୍ତା ଉପରେ ଅସହାୟ ଅବସ୍ଥାରେ ଅଟକି ରହିଥିଲେ । କିଏ ଜାଣିଥିଲା, ଯେଉଁ ବାହାଘର ପାଇଁ ବର ଏବଂ ବରଘର ଲୋକ ଏତେ ପ୍ରସ୍ତୁତି କରିଥିଲେ, ତା ଉପରେ କରୋନାର ଗ୍ରହଣ ଲାଗିଯିବ । ବର ଅଛି, ସାଥିରେ କୋଇଲି ବର ବା ମାରକଣ୍ଡି ସହ ସମ୍ପର୍କୀୟ ଅଛନ୍ତି । ହେଲେ କରୋନା କଟକଣା ଯୋଗୁଁ ବର ଗାଡ଼ି ଆଗକୁ ବଢିପାରୁନି । ଏଭଳି ସ୍ଥିତିରେ କୌଣସି ବିକଳ୍ପ ନପାଇ ଲକ୍ଷ୍ମଣନାଥ ତନଖୀ ଫାଟକରେ ଅଟକିରହିଛି ବର।

କେବଳ ଜଣେ ନୁହେଁ ଆଉ ଜଣେ ମଧ୍ୟ ଫାଟକରେ ଅଟକି ରହିଛନ୍ତି । ଜଣେ ବାଲେଶ୍ୱର ବାହା ହେବା ପାଇଁ ଆସୁଥିବା ବେଳେ ଆଉ ଜଣେ ବେଲଦାରୁ ଜଗତସିଂପୁର ଜିଲ୍ଲାର ପାରାଦ୍ୱୀପକୁ ଆସୁଥିଲେ । ହେଲେ କରୋନାର ବେଙ୍ଗଲ ଷ୍ଟ୍ରେନ୍ ଯୋଗୁଁ ଦୁଇ ଜଣଙ୍କୁ ଆଗକୁ ବଢ଼ିବାରେ ଅସୁବିଧା ହେଉଛି । କାରଣ, ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତଙ୍କ ସୀମାରେ ଯାଂଚ କରାଯାଉଛି । ଏଭଳି ସ୍ଥିତିରେ ଏମାନଙ୍କର ନା’ ଆର୍ଟିପିସିଆର୍ ରିପୋର୍ଟ ବି ନାହିଁ ।

ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଥିବା ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁକୁ ନେଇ ରାଜ୍ୟ ସରକାର ଅଧିକ ସଚେତନ ହୋଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗରେ ସୀମାରେ ଚେକିଂ କଡାକଡି କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡିକୁ ପ୍ରବେଶ ଅନୁମତି ଦିଆଯାଇଥିବା ବେଳେ ଯେଉଁମାନଙ୍କ ୪୮ ଘଂଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଥିବ ସେମାନଙ୍କୁ ଆସିବା ପାଇଁ ଅନୁମତି ଦିଆଯାଉଛି ।