ବିବାହ ବେଦୀରେ ବର କରୋନା ପଜିଟିଭ ଚିହ୍ନଟ : ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପ୍ରଶାସନ

1,685

କନକ ବ୍ୟୁରୋ : ବିବାହ ବେଦୀରେ ପଜିଟିଭ ବର । ଆଉ ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଲା ପ୍ରଶାସନ । ୪ ଦିନ ତଳେ କରୋନା ପରୀକ୍ଷା ପାଇଁ ସ୍ୱାବ ନମୁନା ଦେଇଥିଲେ ବର । ହେଲେ ରିପୋର୍ଟ ଆସିନଥିଲା । ହେଲେ ବିବାହ ବେଦୀରେ ବସିଥିବାବେଳେ ରିପୋର୍ଟ ପଜିଟିଭ ବୋଲି ଜଣାପଡିଥିଲା । ପ୍ରଶାସନ ମଧ୍ୟ ସଙ୍ଗସଙ୍ଗେ ତତ୍ପରତା ପ୍ରକାଶ କରିବା ସହ ବରକୁ ଉଠାଇ ନେଇ ସଙ୍ଗରୋଧରେ ରଖିଥିଲା ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦଶେଇପୁର ଗାଁରେ ଏହିଭଳି ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଦଶେଇପୁରର ରାଜେନ୍ଦ୍ରଙ୍କ ଗତକାଲି ବିବାହ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ସକାଳୁ କନ୍ୟା ଘର ଆସି ପହଂଚି ଯାଇଥିଲେ । ହେଲେ ନିୟମ ଅନୁସାରେ ରାଜେନ୍ଦ୍ରଙ୍କ ପୁରା ପରିବାର କରୋନା ପରୀକ୍ଷା ପାଇଁ ସ୍ୱାବ ଦେଇଥିଲେ । ରିପୋର୍ଟ ଆସିନଥିବାବେଳେ ପରିବାର ଲୋକ ବିବାହ ପ୍ରସ୍ତୁତି ଆରମ୍ଭ କରିଦେଲେ ।

ଆଉ ଯେତେବେଳ ନମୁନା ପଜିଟିଭ ଆସିଲା, ବିବାହ ସ୍ଥଳରେ ପହଂଚି ଯାଇଥିଲେ ସ୍ଥାନୀୟ ବିଡିଓ, ତହସିଲଦାର ଓ ପାଟପୁର ଥାନା ଅଧିକାରୀ । ବରକୁ ଉଠାଇ ନେଇ ଏକ ଘରେ ସଂହରୋଧରେ ରଖିଥିବାବେଳେ ଉଭୟ ବରପକ୍ଷ ଓ କନ୍ୟାପକ୍ଷକୁ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜେନ୍ଦ୍ର ସୁସ୍ଥ ହେବା ସହ ରିପୋର୍ଟ ନେଗେଟିଭ ଆସିବାର ୧ ମାସ ପରେ ବାହାଘର ହେବ ବୋଲି ପ୍ରଶାସନ ଲିଖିତନାମା ରଖିଛି ।