ପ୍ରେମିକାର ଆତ୍ମହତ୍ୟା ଧମକ ଶୁଣି ବେଦୀରୁ ଧାଇଁଲା ବର । ମଙ୍ଗୁଳା କନ୍ୟା ମଥାରେ ସିନ୍ଦୂର ଦେଇ ବାହା ହେଲା ଭୋଜିକୁ ଆସିଥିବା ବସ କଣ୍ଡକ୍ଟର । କର୍ଣ୍ଣାଟକରେ ରିପିଟ୍ ହେଲା ରବ ନେ ବନା ଦୀ ଯୋଡି…

2,639

କନକ ବ୍ୟୁରୋ: ଧମକ ଦେଲା ପ୍ରେମିକା, ବେଦୀ ଛାଡିଦେଲା ବର । ବାହାଘର ପୂର୍ବରୁ ପ୍ରେମିକା ସହ ବର ଫେରାର । ଚେତାବନୀ ଦେଲା ପ୍ରେମିକା, ବାହା ବେଦୀରୁ ଉଠି ପଳାଇଲା ବର । ପ୍ରେମିକାର ଆତ୍ମହତ୍ୟା ଧମକ ପାଇ ଆତ୍ମସମର୍ପଣ କଲା ବର । ତମେ ମୋର ହେବନି ତ ଆଉ କାହାର ହେବନି… ମୋ ଛଡା ଆଉ କାହାକୁ ବାହା ହେଲେ ବେଦୀ ଆଗରେ ଆତ୍ମହତ୍ୟା କରିବି, ତମରି ସାମ୍ନାରେ ବିଷ ପିଇଦେବି… ଫୋନରେ ପ୍ରେମିକାର ବାରମ୍ବାର ଧମକ ପରେ ବ୍ୟସ୍ତ ହୋଇପଡିଥିଲା ବର । ଆଉ ନିଜ ପ୍ରାଣପ୍ରିୟାକୁ ବଞ୍ଚାଇବାକୁ ସିଧା ଧାଇଁଥିଲା ପ୍ରେମିକା ପାଖକୁ । ଏପଟେ ବର ନିଖୋଜ ପରେ ଭାଙ୍ଗିପଡିଥିଲା କନିଆଁ । ପ୍ରେମ- ବିବାହର ଏଭଳି ଏକ କରୁଣ କାହାଣୀ ଆସିଛି କର୍ଣ୍ଣାଟକରୁ…

ତେବେ କର୍ଣ୍ଣାଟକ ଚିକ୍କାମାଙ୍ଗାଲୁରୁର ଏକ ଗାଁରେ ଦୁଇ ଭାଇଙ୍କର ସାଙ୍ଗରେ ବାହାଘର ହେଉଥିଲା । ଗୋଟିଏ ମଣ୍ଡପରେ ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ହେଉଥିଲା । ଜଣେ ଭାଇର ବାହାଘର ଚାଲିଥିବା ବେଳେ ଅନ୍ୟ ଜଣେ ଭାଇର ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା । ହେଲେ ଏତିକି ବେଳେ ଘଟିଥିଲା ଅଘଟଣ । ହଠାତ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲା ବର, ନିଖୋଜ ହୋଇଗଲେ ନବୀନ । ବହୁ ଖୋଜାଖୋଜି ପରେ ବି ବରର କୌଣସି ଅତାପତ୍ତା ମିଳିଲାନି ।

ସେପଟେ ବର ନିଖୋଜ ଘଟଣା ଶୁଣି ମୁଣ୍ଡରେ ହାତ ଦେଇଦେଲେ କନିଆ ଘରଲୋକେ । ବିବାହ ଉତ୍ସବରେ ସାମିଲ ପାଇଁ ଧିରେଧିରେ ସମ୍ପର୍କୀୟ ପହଞ୍ଚୁଥିବା ବେଳେ କେମିତି ସେମାନଙ୍କ ସାମ୍ନା କରିବେ, କେମିତି ସେମାନଙ୍କୁ ମୁହଁ ଦେଖାଇବେ ଏଇ ଚିନ୍ତାରେ ଥିଲେ କନିଆ ସିନ୍ଧୁଙ୍କ ପରିବାର । ଝିଅ ତାଙ୍କର ସବୁଦିନ ପାଇଁ ମଙ୍ଗୁଳା ହୋଇ ରହିଯିବ, ଘରେ କାନ୍ଦ ବୋବାଳି ପଡିଥିବା ବେଳେ ମଙ୍ଗୁଳା କନ୍ୟା ମଥାରେ ସିନ୍ଦୁର ଦେଇ ସାତ ଜନମର ସାଥି କରିବାକୁ ହାତ ବଢାଇଥିଲେ ଜଣେ ବସ କଣ୍ଡକ୍ଟର । ଚନ୍ଦ୍ରପା ନାମକ ଜଣେ ଯୁବକ ବିବାହ ଉତ୍ସବକୁ ନିମନ୍ତ୍ରିତ ଅତିଥି ହୋଇ ଆସିଥିବା ବେଳେ କନ୍ୟାର ଏ ଦୁଃଖ ଦେଖି ନିଜକୁ ସମ୍ଭାଳି ପାରିନଥିଲେ । ଆଉ ବିବାହ ପାଇଁ ହାତ ବଢାଇଥିଲେ । ବସ କଣ୍ଡକ୍ଟରଙ୍କ ଏଭଳି ମହାନକାମ ପରେ ବଡ ବିପତ୍ତିରୁ ବର୍ତ୍ତିଯାଇଥିଲା କନ୍ୟାଘର ।

ତେବେ କର୍ଣ୍ଣାଟକର ଏ କାହାଣୀ ବଲିଉଡ ସିନେମା ରବ ନେ ବନାଦୀ ଯୋଡି କଥା ମନେପକାଇ ଦେଇଛି । ଯେଉଁଠି ଅନୁଷ୍କାଙ୍କ ବିବାହକୁ ସାହାରୁଖ ଖାନ ଅତିଥି ହୋଇଯାଉଛନ୍ତି । ମାତ୍ର ବିବାହର କେଇ ମୁହୂର୍ତ୍ତ ପୂର୍ବରୁ ଏକ ଦୁର୍ଘଟଣାରେ ବରର ମୃତ୍ୟୁ ହେଉଛି ଆଉ କିଙ୍କ ଖାନ୍ କନ୍ୟାକୁ ବାହାହୋଇ ବଡ ହୃଦୟର ପରିଚୟ ଦେଉଛନ୍ତି । ୨୦୦୮ର ଏହି ସିନେମା କାହାଣୀ ୨୦୨୧ରେ ସତ ହୋଇଛି । ଯାହାକୁ ଦେଖି ସମସ୍ତଙ୍କ ମୁହଁରୁ ବାହାରି ଆସୁଛି ରବ୍ ନେ ବନାଦୀ ଯୋଡି…