କନକ ବ୍ୟୁରୋ : ମଟନ ମାଗିବା ପଡିଲା ମହଙ୍ଗା । ଶିଶୁପାଳ ହୋଇ ଫେରିଲା ବର । କେବଳ ବିବାହ ଭାଙ୍ଗିଲାନି ବରଂ ଉତ୍ତମ ମଧ୍ୟମ ଖାଇଲେ ବରଯାତ୍ରୀ । ବିବାହ ଭୋଜିରେ ବରଯାତ୍ରୀଙ୍କ ଉନ୍ମତକାଣ୍ଡ ପରେ ଶିଶୁପାଳ ହୋଇ ଫେରିଛି ବର । ଏଭଳି ଏକ ଘଟଣା ମାହାଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଗତ ରବିବାର ଦିନ କେନ୍ଦ୍ରାପଡାର ମହାକାଳପଡାରୁ ମାହାଙ୍ଗାର ଦେବରିଓ ଗାଁକୁ ବର ହୋଇ ଆସିଥିଲେ ପ୍ରିୟରଞ୍ଜନ । କନ୍ୟା ଘରେ ବର ପହଞ୍ଚିବା ପରେ ଭୋଜି ଭାତକୁ ନେଇ ବରଯାତ୍ରୀଙ୍କ ସହ କନ୍ୟାପକ୍ଷଙ୍କର ବଚସା ଆରମ୍ଭ ହୋଇଥିଲା । ବରଯାତ୍ରୀ ଅଧିକ ମଟନ ଖାଇବାକୁ ମାଗିବା ସହ କନ୍ୟା ଘର ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବାରୁ ବିବାଦର ସୁତ୍ରପାତ ଆରମ୍ଭ ହୋଇଥିଲା ।
ଚେୟାର ଭାଙ୍ଗିବା ସହ କନ୍ୟାର ଖୁଡିଙ୍କୁ ମାଡ ମାରିଥିଲେ ବରପକ୍ଷ । ଏପରିକି ଖୋଦ ବର ନିଜେ ଛାତ ଉପରକୁ ଯାଇ ପାଟିତୁଣ୍ଡ କରିବା ପରେ ବିବାଦ ଅଧିକ ଉଗ୍ରରୂପ ନେଇଥିଲା । ଆଉ ଏହାପରେ କନ୍ୟାର ଗାଁ ଲୋକ ବରଯାତ୍ରୀଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ । ତେବେ ବିବାଦର ସମାଧାନ ପୂର୍ବରୁ ଖୋଦ୍ କନ୍ୟା ପ୍ରିୟରଞ୍ଜନଙ୍କୁ ବିବାହ କରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ବରପକ୍ଷ ମଦ ପିଇ ଏଭଳି ଆଚରଣ କରିଥିବା ଅଭିଯୋଗ ଆଣିଥିଲେ କନ୍ୟାପକ୍ଷ । ଆଉ ଏହାସହ ବର ଓ ବରପକ୍ଷଙ୍କୁ ଅଟକ ରଖିଥିଲେ ।
ବରପକ୍ଷ ଗ୍ରାମରେ ଅଟକ ଥିବାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ । ତେବେ କ୍ଷତିପୂରଣ ବାବଦକୁ ଟଙ୍କା ଦେବା ପରେ ବରପକ୍ଷ ଏଠାରୁ ମୁକୁଳିବେ ବୋଲି ଜିଦ୍ ଧରିଥିଲେ କନ୍ୟାପକ୍ଷ । ଆଉ ଶେଷରେ ପୋଲିସ ଉପସ୍ଥିତିରେ ୬ ଲକ୍ଷ ଟଙ୍କା ଦେଇ ଦୀର୍ଘ ୧୮ ଘଣ୍ଟା ପରେ କନ୍ୟା ବିନା ଶିଶୁପାଳ ହୋଇ ଫେରିଥିଲେ ପ୍ରିୟରଞ୍ଜନ । ଆଉ ମଙ୍ଗୁଳା କନ୍ୟାକୁ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ଯୁବକ ବିବାହ କରିଥିବା ଜଣାପଡିଛି । ତେବେ ବରପକ୍ଷର କହିବା ଅନୁଯାୟୀ, କନ୍ୟାଘର ଲୋକେ ପ୍ରଥମେ ତାଙ୍କୁ ଖରାପ ବ୍ୟବହାର କରିଥିଲେ । ଏହାକୁ ବିରୋଧ କରିବାରୁ ମୋ ଭାଉଜଙ୍କୁ ଗାଲିଗୁଲଜ କରିଥିଲେ କନ୍ୟାପକ୍ଷ । ତେଣୁ ତାଙ୍କୁ ଭୁଲ ମାଗିଲେ ହିଁ ବିବାହ କରିବି ବୋଲି କହିଥିଲେ ବର । କିନ୍ତୁ କୌଣସି କାରଣବଶଃତ କନ୍ୟା ବିବାହ କରିବାରୁ ମନା କରିଦେଇଥିଲେ ।