କନକ ବ୍ୟୁରୋ: ବିବାହ ଭୋଜିରେ ବଜ୍ରପାତ । ଚତୁର୍ଥୀ ଦିନରେ ଚାଲିଗଲା ବରର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆ ପାଳ ଗାଁରେ । ଗାଁରେ ଚାଲିଥିଲା ପ୍ରାଣ ହରାଇଥିବା ଜିତେନ୍ଦ୍ର ମୁର୍ମୁଙ୍କ ଚତୁର୍ଥୀ ଭୋଜି । ଏହି ସମୟରେ ବଜ୍ରପାତ ହେବାରୁ ଜିତେନ୍ଦ୍ରଙ୍କ ସମେତ ୬ଜଣ ଆହତ ହୋଇଥିଲେ । ଆଉ ଗୁରୁତର ଆହତ ହୋଇଥିଲେ ଜିତେନ୍ଦ୍ର । ପ୍ରଥମେ ସମସ୍ତଙ୍କୁ କେଶଦୁରାପାଳ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ବରର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ଖବର ଅନୁସାରେ ଗତ ସୋମବାର ଦିନ ଜିତେନ୍ଦ୍ର ମୁର୍ମୁଙ୍କର ବିବାହ ହୋଇଥିଲା। ସେ କଙ୍କଡ଼ାହାଡ଼ ଅଞ୍ଚଳରୁ ଆଦିବାସୀ ରୀତିନୀତି ଅନୁସାରେ ବିବାହ ସାରି କନ୍ୟାକୁ ଧରି ଗତକାଲି ଘରକୁ ଫେରିଥିଲେ। ଗତକାଲି ଅପରାହ୍ଣରେ ପାରମ୍ପରିକ ନାଚଗୀତ ଓ ଭୋଜିଭାତ ଚାଲିଥିଲା। ଏଥିରେ ବରକନ୍ୟାଙ୍କ ସମେତ ଉଭୟ ପକ୍ଷର ବନ୍ଧୁବାନ୍ଧବ ସାମିଲ ହୋଇଥିଲେ। ଭୋଜି ଖାଇସାରି କନ୍ୟାପକ୍ଷ ଫେରିଯାଇଥାନ୍ତେ। ଏହି ସମୟରେ ହଠାତ ବଜ୍ରପାତ ହୋଇଥିଲା।

ଫଳରେ ଭୋଜି ଖାଉଥିବା ୫-୭ଜଣ ଟଳିପଡ଼ିଥିଲେ। ବିବାହ ଉତ୍ସବର ଆନନ୍ଦ ହଠାତ ମିଳାଇଯାଇଥିଲା। କାନ୍ଦ ବୋବାଳିରେ ସ୍ଥାନଟି ଫାଟି ପଡ଼ିଥିଲା। ଗୁରୁତରଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ କେଶଦୁରାପାଳ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ବିଗିଡ଼ିବାରୁ ବର ଜିତେନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନ୍ୟ ଗୁରୁତର ବ୍ୟକ୍ତିଙ୍କ ବିଷୟରେ ସବିଶେଷ ସୂଚନା ମିଳିପାରିନାହିଁ।