ପଣିକିଆ ଡାକିପାରିଲାନି ବର…ଭାଙ୍ଗିଗଲା ବାହାଘର । ବର ୨କ ପଣିକିଆ ଡାକିପାରିଲାନି ବୋଲି ମଣ୍ଡପ ଛାଡି ଚାଲିଗଲା କନିଆ, ଅଧା ରହିଗଲା ବାହାଘର ।
କନକ ବ୍ୟୁରୋ : ବାହାଘର ଭାଙ୍ଗିଯିବାର ଏମିତି କାରଣ, ହୁଏତ ଆପଣ ଆଗରୁ କେବେ ଶୁଣିନଥିବେ । ୨କ ପଣିକିଆ ଡାକିପାରିଲେନି ବୋଲି ଭାଙ୍ଗିଗଲା ଯୁବକଙ୍କ ବାହାଘର । ଗଣିତର ସାମାନ୍ୟ ଏକ ପରୀକ୍ଷା ଏକ ବାହାଘରକୁ ଭାଙ୍ଗିଦେଇଛି । ଆଶ୍ଚର୍ଯ୍ୟ କରିଦେବା ଭଳି ଏଭଳି ଏକ ଖବର ଆସିଛି ଉତରପ୍ରଦେଶରୁ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୂରା ଘଟଣା ।
Kanak News is now on WhatsApp
Join and get latest news updates delivered to you via WhatsApp
ଉତରପ୍ରଦେଶର ମହୋବା ଜିଲ୍ଲାରେ ଗତ ଶନିବାର ଦିନ ବରଯାତ୍ରୀ ସହ ବିବାହ ମଣ୍ଡପରେ ପହଂଚିଥିଲେ ବର । ହସଖୁସିର ମାହୋଲ ଥିଲା, ଉଭୟ ବର ଓ କନ୍ୟା ପକ୍ଷ ଉତ୍ସାହିତ ଥିଲେ । ତେବେ ବାହାଘରକୁ ଆଉ କେଇଟା ମାତ୍ର ସମୟ ଥିବା ବେଳେ, ହଠାତ କନ୍ୟା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଯିଏ ତାଙ୍କ ହାତ ଧରିବାକୁ ଯାଉଛନ୍ତି, ଅର୍ଥାତ ବରଜଣଙ୍କ ପଢାଲେଖା ନୁହନ୍ତି । ତାଙ୍କୁ ମିଛରେ କୁହାଯାଇଥିଲା ଯେ, ପୁଅ ଭଲ ପାଠପଢିଛି ଏବଂ ଚାକିରି କରିଛି ।
ଏହା ଜାଣିବା ପରେ ବିବାହ ପୂର୍ବରୁ ବରଙ୍କ ପରୀକ୍ଷା ନେବାକୁ ଚାହିଁଥିଲେ କନ୍ୟା । ଆଉ ଏଥିପାଇଁ ସେ ପ୍ରଥମେ ପରିବାର ଲୋକଙ୍କ ଠାରୁ ଅନୁମତି ଆଣିଥିଲେ । ଆଉ ସମସ୍ତଙ୍କ ସାମ୍ନାରେ ଗଣିତର ସାମାନ୍ୟ କିଛି ପ୍ରଶ୍ନ ପଚାରିବା ସହ ୨କ ପଣିକିଆ ଡାକିବାକୁ ବରଙ୍କୁ କହିଥିଲେ କନ୍ୟା ।
ତେବେ ହଠାତ କନ୍ୟାଙ୍କ ଠାରୁ ଏଭଳି କଥା ଶୁଣି ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ୨କ ପଣିକିଆ ତାଙ୍କୁ ଆସୁନଥିବାରୁ ସେ ଚୁପ୍ ହୋଇ ବସିରହିଥିଲେ । ଆଉ ଏହାପରେ କନ୍ୟା ଜଣଙ୍କ ରାଗିଯାଇ, ଏ ବାହାଘର ହୋଇପାରିବ ନାହିଁ ବୋଲି କହି, ମଣ୍ଡପରୁ ଉଠି ଚାଲିଯାଇଥିଲେ ।
ଏଘଟଣା ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଉଭୟ ପରିବାର ନିଜ ନିଜ ଭିତରେ କଥା ହୋଇ କ’ଣ କଲେ ସମାଧାନ ହୋଇପାରିବ ତାହା ସ୍ଥିର କରିଥିଲେ । ଏହା ସହ ପୁଅ ପାଠ ପଢିଛି ବୋଲି ମିଛ କହିଥିବାରୁ କନ୍ୟାଘର ଲୋକଙ୍କୁ କ୍ଷମା ମାଗିଥିଲେ ବରଘର । ଆଉ ଏହା ପରେ ଉଭୟ ପରିବାର ଦିଆନିଆ ହୋଇଥିବା ଉପହାର ଫେରାଇ ଦେଇଥିଲେ ।