ଚାଷ ସମୟ ଆସିଲେ ଆସନ୍ତି ଏବଂ ଚାଷ ସରିବାର ବେଳ ଆସିଲେ ଫେରିଯାନ୍ତି : ଗଡପଳାଶୁଣି ଗାଁରେ ପକ୍ଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୋଡ଼ି ଦେଇଛି ଏକ ନିଆରା ଭାବ

195

କନକ ବ୍ୟୁରୋ : ଚାଷ ସମୟ ଆସିଲେ କାମାକ୍ଷାନଗର ନିକଟ ଗଡପଳାଶୁଣି ଗାଁକୁ ଛୁଟି ଆସିଥାନ୍ତି ଗେଣ୍ଡାଳିଆ ପକ୍ଷୀ । ପୂରା ଚାଷ ସମୟତକ ଗାଁରେ ରହିଥାନ୍ତି । ଚାଷ ସରିବାର ସମୟ ଆସିଲେ ପୁଣି ଫେରିଯାନ୍ତି । ପ୍ରତ୍ୟେକ ବର୍ଷ ଗେଣ୍ଡାଳିଆଙ୍କ ଏପରି ଆଗମନ ଗଡପଳାଶୁଣି ଗାଁରେ ପକ୍ଷୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ନିଆରା ଭାବ ଯୋଡି ଦେଇଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର ଗଡପଳାଶୁଣି ଏବେ ଗେଣ୍ଡାଳିଆ ପକ୍ଷୀକୁ ନେଇ ଏକ ଭିନ୍ନ ପରିଚୟ ଅର୍ଜନ କରିିଛି । ପ୍ରତ୍ୟକ ବର୍ଷ ବର୍ଷା ସମୟ ଆସିଲେ, ଚାଷ ସମୟକୁ ଗାଁରେ ମେଳା ଜମାନ୍ତି ହଜାର ହଜାର ଗେଣ୍ଡାଳିଆ ପକ୍ଷୀ । ଗାଁ ମୁଣ୍ଡ ଶିବ ମନ୍ଦିର ନିକଟ କଇଁଆ ଗଛରୁ ଆରମ୍ଭ କରି ଆଖପାଖ ଆଂବ ଗଛ ସବୁ ପାଲଟି ଥାଏ ଏହି ଗେଣ୍ଡାଳିଆ ପକ୍ଷୀଙ୍କ ଆଶ୍ରୟସ୍ଥଳ । ଏହି ପକ୍ଷୀଙ୍କୁ ଦେଖିବା ପରେ ଗାଁରେ ଚାଷୀ ଆରମ୍ଭ କରିଥାଏ ଚାଷ କାମ । ଗଡପଳାଶୁଣି ଗାଁକୁ କାହିଁକି ଏପରି ଗେଣ୍ଡାଳିଆଙ୍କ ଆଗମନ ହୋଇଥାଏ ତାହା କେହି ବି ଜାଣନ୍ତିନି ।

ବର୍ଷ ବର୍ଷ ଧରି ଏହିପରି ପ୍ରତ୍ୟକ ବର୍ଷ ଗେଣ୍ଡାଳିଆ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହି ଗାଁରେ । ଜୁନ୍ ମାସ ଆରମ୍ଭରୁ ଗେଣ୍ଡାଳିଆ ଆସିବା ସହ ଦୀପାବଳି ପରେ ପୁଣି ଫେରିଯାନ୍ତି । ଆଖପାଖ କୌଣସି ଗାଁରେ ଏପରି କିନ୍ତୁ ଦେଖାନ ଯିବା , ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଗଡପଳାଶୁଣି ଗାଁରେ ଗେଣ୍ଡାଳିଆଙ୍କୁ ଚାଷୀର ସାଥୀ ଭାବେ ଗ୍ରହଣ କରିଛନ୍ତି ଗ୍ରାମବାସୀ । ସେଥିପାଇଁ ଏହି ପକ୍ଷୀଙ୍କ ସୁରକ୍ଷାରେ ରହିଛି ପୂରା ଗାଁ  ।