ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛି ଭାରତ । ପୁଲୱାମାର ଏକ ବୁଥରେ ଗ୍ରେନେଡ୍ ମାଡ କଲେ ଆତଙ୍କବାଦୀ, ଅନେକ ସ୍ଥାନରେ ଇଭିଏମ୍ ଅଚଳ । 

166

କନକ ବ୍ୟୁରୋ : ୧୯ ଯୁଦ୍ଧର ଆଜି ହେଉଛି ପଞ୍ଚମ ପର୍ଯ୍ୟାୟ ଲଢେଇ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଆଝି ୫୧ଟି ସଂସଦୀୟ କ୍ଷେତ୍ର ପାଇଁ ଚାଲିଛି ଭୋଟ୍ ଗ୍ରହଣ । ବାଜିରେ ଲାଗିଛି ନେତାଙ୍କ ଭବିଷ୍ୟତ । ଆଉ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ସୋମବାର ସକାଳ ୭ଟାରେ ଆରମ୍ଭ ହୋଇଥିବା ଦେଶର ୫୧ ସଂସଦୀୟ ଆସନ ପାଇଁ ଭୋଟ୍ ଗ୍ରହଣ ବେଳେ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଏକ ବୁଥରେ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିଛନ୍ତି । ସେଠାରେ ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ କରାଯାଉଥିଲା ବୋଲି ପୁଲିସ କହିଛି ।

ପଶ୍ଚିମବଙ୍ଗରେ ସାତଟି ଆସନ ଏବଂ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଏବଂ ଲଦାଖକୁ ବାଦ ଦେଲେ ବାକି ସମଗ୍ର ହିନ୍ଦୀ ଭାଷାଭାଷୀ ରାଜ୍ୟ ଲାଗି ଏହି ପର‌୍ୟ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି । କେତେକ ସ୍ଥାନରେ କାଁଭାଁ ହିଂସା ଏବଂ ଇଭିଏମ୍ ଅକାମି ସତ୍ତ୍ୱେ ଭୋଟ୍ ଗ୍ରହଣର ପ୍ରଥମ ଦୁଇ ଘଣ୍ଟା ଭୋଟ୍ ଗ୍ରହଣ କେନ୍ଦ୍ର ବାହାରେ ଲମ୍ବା ଧାଡ଼ି ଦେଖାଯାଇଥିଲା । ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ଲୋକସଭା ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗର ହାୱଡା ଏବଂ ଉଲୁବେରିଆ ବୁଥରେ ଇଭିଏମ୍ ଏବଂ ଭିଭିପିଏଟି କାମ କରୁ ନ ଥିବା ଖବର ଆସିଛି ।