କଂଗ୍ରେସରୁ ଇସ୍ତଫା ଦେଲେ ରାଜଗାଙ୍ଗପୁର ପୂର୍ବତନ ବିଧାୟକ । ‘ହାତ’ ଛାଡ଼ି ସ୍ୱାଧୀନ ଲଢ଼ିବାକୁ ପ୍ରାର୍ଥୀପତ୍ର ଭରିଲେ ଗ୍ରେଗୋରୀ ମିଞ୍ଜ ।

128

କନକ ବ୍ୟୁରୋ: କଂଗ୍ରେସରୁ ଇସ୍ତଫା ଦେଲେ ରାଜଗାଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ଗ୍ରେଗୋରୀ ମିଞ୍ଜ୍ । ଦଳ ଅଣଦେଖା କରିଥିବାରୁ ‘ହାତ’ ଛାଡ଼ିଛନ୍ତି ବୋଲି ଗ୍ରେଗୋରୀ କହିଛନ୍ତି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ଗ୍ରେଗୋରୀ । ତେବେ ଆଗାମୀ ନିର୍ବାଚନରେ ଗ୍ରେଗୋରୀ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ପ୍ରାର୍ଥୀଭାବେ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜର ଶତାଧିକ ସମର୍ଥକଙ୍କ ସହ ଗ୍ରେଗୋରି ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସ୍ୱାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଆସନ୍ତା ୧୮ ତାରିଖରେ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ନିକଟରେ କଂଗ୍ରେସ ଘୋଷଣା କରିଥିଲା ପ୍ରାର୍ଥୀ ତାଲିକା । ଯେଉଁଥିରେ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ର ପାଇଁ ଡକ୍ଟର ରାଜନ ଏକ୍କାଙ୍କୁ ଟିକେଟ୍ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ଦୁଇ ଦୁଇଥର କଂଗ୍ରେସ ଟିକେଟ୍ ପାଇ ବିଧାୟକ ହୋଇଥିବା ଗ୍ରେଗୋରୀ ମିଞ୍ଜ୍। କିନ୍ତୁ ଚଳିତଥର ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । ତେବେ ରଞ୍ଜନଙ୍କୁ ଏକ୍କାଙ୍କୁ ଟିକେଟ୍ ଦେଇଥିବା କାରଣରୁ ଚଳିତଥର ଗ୍ରେଗୋରୀ ସ୍ୱାଧୀନ ଲଢ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।