ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଜନ୍ମବେଦୀକୁ ଯିବେ ମହାପ୍ରଭୁ; ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ

169

କନକ ବ୍ୟୁରୋ :  ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି ଲାଗି ରହିଛି । ଦୂରଦୂରାନ୍ତରୁ ଧାଇଁ ଭକ୍ତ ଆସିଛନ୍ତି ।  ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ୯ ଦିନିଆ ରଥଯାତ୍ରା ପାଇଁ ଗୁରୁବାର ରଥ-ପଥ ଓ ଭକ୍ତ ପ୍ରସ୍ତୁତ ଅଛନ୍ତି ।

ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ବାରପାଳ ପୂଜା, ବେଶଶେଷ, ୮ଟାରୁ ୯ଟା ମଧ୍ୟରେ ଖେଚୁଡ଼ି ଭୋଗ ଓ ୯ଟାରେ ରଥ ପ୍ରତିଷ୍ଠା ହେବ । ସେହିପରି ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯାଇ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ପରେ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କଷ୍ଣ ବିଜେ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତା ଲାଗି, ବେଶ ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ଅନୁଷ୍ଠିତ ହେବ । ଏହା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାମ ୪ଟା ସୁଦ୍ଧା ଶେଷ ହେବ। ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ଅନୁଷ୍ଠିତ ହେବ ।

କରୋନା ସଂକ୍ରମଣ ଯୋଗୁଁ ୨୦୨୦ ଓ ୨୦୨୧ ମସିହାରେ ଅନୁଷ୍ଠିତ ଘୋଷଯାତ୍ରାରେ ସାଧାରଣ ଭକ୍ତ ସାମିଲ ହୋଇପାରି ନଥିଲେ । ଏଥର କିନ୍ତୁ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରଥଯାତ୍ରାରେ ଅଂଶଗ୍ରହଣ କରିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୁରୀ ବଡ଼ଦାଣ୍ଡ ସମେତ ସହରର ଅନ୍ୟ ସ୍ଥାନରେ ୧୦୦୦ ଅଧିକାରୀଙ୍କ ବ୍ୟତୀତ ୧୮୦ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଛନ୍ତି । ବଡ଼ଦାଣ୍ଡ ସମେତ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ସିସିଟିଭି ନଜର ରଖିଛି । ସେହିପରି ଗୁଇନ୍ଦା ବିଭାଗ ମଧ୍ୟ ରଥଯାତ୍ରା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ଦମକଳ ବାହିନୀ, ଏନଡିଆରଏଫର ଯବାନମାନେ ମୁତୟନ ହୋଇଛନ୍ତି ।