କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ । ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ ।

281

କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ମିଳିଛି ସବୁଜ ସଙ୍କେତ । ଖୁବଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟବସ୍ଥିତ ଭାବେ ବନ୍ଧ୍ୟାକରଣ ହେବ ।

  • ପ୍ରତିଦିନ ପ୍ରାୟ ୧୦୦କୁକୁରକୁ ବନ୍ଧ୍ୟାକରଣ କରାଯିବ
  • ମଞ୍ଚେଶ୍ୱରରେ ଥିବା ଡଗ୍ କେନାଲରେ ବ୍ୟବସ୍ଥା ହୋଇଛି

ଅନ୍ୟପକ୍ଷରେ ବିଏମସି କେବଳ ଭିତିଭୂମି ଯୋଗାଉଥିବା ବେଳେ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ ରହିଛି ଭେଟ୍ ଫର୍ ଆନିମଲ୍ସ ସଂସ୍ଥା ଉପରେ । ଏଥିପାଇଁ ମୋଟ୍ ୧୦ଟି କ୍ୟାଭ୍ ସାଙ୍ଗକୁ ଅପରେସନ ଥିଏଟର ବ୍ୟବସ୍ଥା କରାଯାଇଛି । ଏନେଇ ପ୍ରତି କୁକୁର ପିଛା ସଂସ୍ଥାକୁ ୧୬୫୦ଟଙ୍କା ଦିଆଯିବ । ଟିମ୍ ମଧ୍ୟ ପ୍ରସ୍ତୁତ ରହିଛି । ବନ୍ଧ୍ୟାକରଣ ସହ ରାବିସ୍ ଭ୍ୟାକସିନ ଦିଆଯିବ । ବନ୍ଧ୍ୟାକରଣ ପରେ କାନରେ ‘ଠ’ ସେଫ କଟାଯାଇ ଚିହ୍ନ ଦିଆଯିବ ।

୨୦୦୮ରୁ ଆରମ୍ଭ ହୋଇଛି ବନ୍ଧ୍ୟାକରଣ । କିନ୍ତୁ ବନ୍ଧ୍ୟାକରଣ ସ୍ଥଗିତ ରହିବା ପରେ ସମସ୍ୟା ଦେଖାଦେଇଥିଲା । ସାଧାରଣ ଲୋକଙ୍କ ଯେତିକି ହନ୍ତସନ୍ତ ହୋଇଛନ୍ତି ସେମିତି କୁକୁର ବି ମୃତ୍ୟୁ ମୁଖରେ ପଡ଼ିଛନ୍ତି । ତେଣୁ ବର୍ତମାନ ବିଏମସି କେଉଁ କାର୍ଯ୍ୟଶୈଳୀ ଆପଣାଇବ ତାକୁ ନେଇ ପଶୁପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିଛି । ପୂର୍ବରୁ ବନ୍ଧ୍ୟାକରଣ ପରେ ବି ଅନେକ କୁକୁର ଗର୍ଭବତୀ ଥିବା ନଜର ଆସିଛନ୍ତି । ତାକୁ ନେଇ ପିପୁଲ ଫର ଆନିମଲ୍ସ ପ୍ରଶ୍ନ ଉଠାଇଛି । ତେଣୁ ବିଏମସି ଆଗକୁ କିଭଳି ଏହି ଦାୟିତ୍ୱ ତୁଲାଇବ ତାକୁ ନେଇ ସନ୍ଦେହ କରିଛନ୍ତି ପଶୁପ୍ରେମୀ ।

କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ରହିତାଦେଶ ଥିବା ବେଳେ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ଥିଲା । ବୁଲା କୁକୁରଙ୍କ ଉତ୍ପାତ ନେଇ ସାଧାରଣରେ ଅନେକ ଅଭିଯୋଗ ଆସିବା ପରେ ବିଏମସି ରହିତାଦେଶ ଉଠାଇବାକୁ ହାଇକୋର୍ଟରେ ଆବେଦନ କରିଥିଲା ।