କନକ ବ୍ୟୁରୋ : ଏଥର ବାଲିଯାତ୍ରାର ମଜା ନେବେ ଲୋକେ । କରୋନା ପରେ ପ୍ରଥମ ଥର ପାଇଁ କଟକରେ ହେବ ପ୍ରସିଦ୍ଧ ବାଲିଯାତ୍ରା । ଏନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି କଟକ ଜିଲ୍ଲାପାଳ । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଡିଆରଡିଏ ପିଡିଙ୍କୁ ବାଲିଯାତ୍ରାର ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ।
କରୋନା କାରଣରୁ ଗତ ୨ ବର୍ଷ ହେବ ବନ୍ଦ ଥିଲା କଟକ ବାଲିଯାତ୍ରା । କିନ୍ତୁ ଏବେ କରୋନା ସଂକ୍ରମଣ କେବଳ ନିୟନ୍ତ୍ରଣକୁ ଆସିନାହିଁ ବରଂ ସ୍ଥିତିରେ ମଧ୍ୟ ଯଥେଷ୍ଟ ଅଧିକ ସୁଧାର ଆସିଛି । ଏହାଛଡା କଟକ ବାରବାଟୀରେ ୪୦ ହଜାରରୁ ଅଧିକ ଲୋକଙ୍କୁ ନେଇ ମ୍ୟାଚ୍ ଆୟୋଜନ ପରେ ବାଲିଯାତ୍ରା ବାବଦରେ ବଡ ନିଷ୍ପତ୍ତି ନେଇଛି କଟକ ପ୍ରଶାସନ । ତେବେ ବାଲିଯାତ୍ରାରେ କଣ କଟକଣା ରଖାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅନ୍ୟପଟେ ବାଲିଯାତ୍ରା ହେବା ନେଇ ସୂଚନା ମିଳିବା ପରେ ସାଧାରଣ ଲୋକଙ୍କ ମନରେ ଖୁସିର ଲହର ଖେଳିଯାଇଛି ।