କନକ ବ୍ୟୁରୋ: ପାରାଦୀପ ଏରସମା ବ୍ଲକ ନୂଆଗାଁ ଓ ଗଡ଼ଗୁଜଙ୍ଗ ପଂଚାୟତରେ ଜିନ୍ଦଲ ପକ୍ଷରୁ ପ୍ରସ୍ତାବିତ ୩ଟି ପ୍ରକଳ୍ପ ପାଇଁ ଗତକାଲି ପରିବେଶ ସଂକ୍ରାନ୍ତୀୟ ଏକ ଜନ ଶୁଣାଣୀ ହୋଇଛି । ଏହି ଜନଶୁଣାଣୀରେ ସ୍ଥାନୀୟ ବାସିନ୍ଦା ନିଯୁକ୍ତି ଓ ଥଇଥାନ ପାଇଁ ଦାବି ରଖିଥିବା ବେଳେ କଂପାନୀ କର୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ପ୍ରଭାବିତ ଲୋକଙ୍କ ଦାବିକୁ ଗୁରୁତ୍ୱ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ।
ଜିନ୍ଦଲ କଂପାନୀ ପକ୍ଷରୁ ଏହି ଅଂଚଳରେ ୧୩.୨ ମେଟ୍ରିକଟନ୍ ଅଶୋଧିତ ଇସ୍ପାତ ପ୍ରକଳ୍ପ, ୯ଶହ ମୋଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଂଟ ଏବଂ ୧୦ ମେଟ୍ରିକ୍ ଟନ୍ର ସିମେଂଟ କାରଖାନା ପ୍ରତିଷ୍ଠା କରିବା ସହ ନିଜସ୍ୱ ବନ୍ଦର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଛି । ଏହି ଏହି ସବୁ ପ୍ରକଳ୍ପ ପାଇଁ ଭାରତ ସରକାରଙ୍କ ପରିବେଶ ସଂକ୍ରାନ୍ତୀୟ ଜନଶୁଣାଣି କରାଯାଇଥିଲା । ଏହି ଜନଶୁଣାଣିରେ ସ୍ଥାନୀୟ ବାସିନ୍ଦା ପ୍ରକଳ୍ପକୁ ସମର୍ଥନ ଦେଇଥିବା ବେଳେ ଥଇଥାନ ଓ ନିଯୁକ୍ତି ପ୍ରସଙ୍ଗ ଉଠାଇଥିଲେ । ତେବେ ଜେଏସ୍ଡବ୍ଲୁ ଏବଂ ପ୍ରଶାସନ ପକ୍ଷରୁ ଲୋକଙ୍କ ଦାବିକୁ ଗୁରୁତର ସହ ନିଆଯିବ ବୋଲି କୁହାଯାଇଛି ।
ପ୍ରଥମେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡ ପକ୍ଷରୁ ନିର୍ମାଣ ହେବାକୁ ଥିବା ଗ୍ରିନଫିଲ୍ଡ ଇସ୍ପାତ ପ୍ରକଳ୍ପ ଓ ସିମେଣ୍ଟ୍ କାରଖାନା ପାଇଁ ଜନ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ ମୋଟ୍ ୪୩ ଜଣ ଭାଗ ନେଇ ସେମାନଙ୍କର ମତାମତ ରଖିଥିଲେ। ଜନ ଶୁଣାଣିରେ ଭାଗ ନେଇ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ କହିଥିଲେ ଯେ ଶିଳ୍ପ ବିନା ପ୍ରଗତି ହୋଇପାରିବ ନାହିଁ। ଢିଙ୍କିଆର ନିର୍ଭୟ ସାମନ୍ତରାୟ କହିଥିଲେ, ଶିଳ୍ପ ହେବା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ତ୍ରୈପାକ୍ଷିକ ଆଲୋଚନା ମାଧ୍ୟମରେ ଏହା ହେବା ଆବଶ୍ୟକ। ଆଇନଜୀବୀ ଅମୃତ ଦାସ କହିଥିଲେ, କୃଷିକୁ ନଷ୍ଟ କରି ଶିଳ୍ପ କରିବା ବେଆଇନ। ଏଣୁ ଉଭୟ କୃଷି ଓ ଶିଳ୍ପ ଯେମିତି ବଞ୍ଚିବ ସେଭଳି ପଦକ୍ଷେପ ନିଆଯିବା ଆବଶ୍ୟକ। ସଂଜୟ ମହାପାତ୍ର ମଧ୍ୟ ସମାନ ଢଙ୍ଗରେ ଶିଳ୍ପକୁ ସ୍ବାଗତ କରିବା ସହ ପରିବେଶ ଓ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ ଦାବି କରିଥିଲେ। ଏହି ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳ ନୋଳିଆସାହି ଓ ଭୂଇଁପାଳ ବାସିନ୍ଦାଙ୍କୁ ମାଗଣା ପାଣି, ଗ୍ୟାସ୍ ଓ ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି କରିଥିଲେ। ଜଟାଧାରୀ ମୁହାଣ ନିକଟରେ ମାଛ ଧରି ଜୀବିକା ନିର୍ବାହ କରୁଥିବା କୈବର୍ତମାନଙ୍କ ହିତ ଦୃଷ୍ଟିରୁ କମ୍ପାନି ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ କୈବର୍ତ୍ତ ନେତା ପୀତାମ୍ବର ତରାଇ ଦାବି କରିଥିଲେ।
ପ୍ରତିଶ୍ରୁତି ପୂରଣ ନ କଲେ ଚାକିରିରୁ ଓହରିଯିବି: ଜିଲ୍ଲାପାଳ
ମାତ୍ର ଆଜିର ଜନ ଶୁଣାଣିରେ ସମସ୍ତେ ଜିଲ୍ଲାପାଳଙ୍କୁ ବେଶ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ଏଣୁ ଲୋକମାନଙ୍କ ବିଶ୍ବାସକୁ ଜିତିବାକୁ ଜିଲ୍ଲାପାଳ କହିଥିଲେ, ଶିଳ୍ପ ପାଇଁ କମ୍ପାନି ସହ କଦାପି ସାଲିସ କରାଯିବ ନାହିଁ। ଯାହା ପ୍ରତିଶ୍ରୁତି ଦିଆଯାଇଛି ତାହା ପାଳନ କରାଯିବ। ଏ କ୍ଷେତ୍ରରେ ଯଦି କମ୍ପାନି ପଛଘୁଞ୍ଚା ଦିଏ ତେବେ ସେ ଚାକିରିରୁ ଓହରିଯିବାକୁ ନିଷ୍ପତ୍ତି ନେବେ ବୋଲି ଜିଲ୍ଲାପାଳ କହିଛନ୍ତି।